ବାପାଙ୍କ ୨ୟ ବିବାହ ପାଇଁ ଅରାଜି ଥିଲେ ପୁଅ, ହତ୍ୟା କରି ଝୁଲାଇଦେଲେ...

Published By : Prameya-News7 Bureau | March 13, 2025 IST

ନୟାଗଡ଼ ୧୩।୦୩ : ବାପା ନା ରାକ୍ଷସ । ୨ୟ ବିବାହ କରିବାକୁ ମନ ବଳାଇଥିଲେ ବାପା। ହେଲେ ମୃତ ପ୍ରଥମ ସ୍ତ୍ରୀଙ୍କର ଦୁଇ ନାବାଳକ ପୁଅ ବିରୋଧ କରିଥିଲେ । ଯାହାର ପରିଣତି ଏପରି ହେଲା ଯେ, ଦୁଇ ନାବାଳକ ପୁଅର ଜୀବନ ନେବାକୁ ବି ପଛାଇଲେନି ବାପା ଓ ଜେଜେମା । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗାଁର ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏକ ପ୍ରେସ୍‌ମିଟ୍‌ ଜରିଆରେ ଏକଥା କହିଛନ୍ତି ନୟାଗଡ଼ ଏସ୍‌ପି ।  

ଗତ ୧୦ ତାରିଖ ଦିନ ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଗାଁର ପ୍ରକାଶ ମହାନ୍ତିଙ୍କ ଦୁଇ ନାବାଳକ ପୁଅଙ୍କ ଝୁଲନ୍ତା ମୃତଦେହ ଘରୁ ମିଳିଥିଲା । ଦୁଇ ନାତି ଆତ୍ମହତ୍ୟା କରିଥିବା ଜେଜେମା କହିଥିଲେ, ହେଲେ ଦୁଇ ନାବାଳକଙ୍କ ଆଈ ଆଣିଥିଲେ ସଙ୍ଗୀନ ଅଭିଯୋଗ । ଆଈଙ୍କ ମତରେ, ବାପା ପ୍ରକାଶ ୨ୟ ବିବାହ କରିବାକୁ ନିଜର ଦୁଇ ପୁଅଙ୍କୁ ହତ୍ୟା କରିଛନ୍ତି । ଯାହାପରେ ପୋଲିସ ବାପା ପ୍ରକାଶ ଏବଂ ତାଙ୍କ ମାଙ୍କୁ ଅଟକ ରଖି ଜେରା କରିବା ପରେ ପୁରା ସତ ପଦାକୁ ଆସିଥିଲା । କିଛି ବର୍ଷ ତଳେ ପ୍ରକାଶଙ୍କ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରକାଶ ୨ୟ ବିବାହ କରିବାକୁ ଚାହୁଁଥିଲେ । ଯାହାକୁ ଦୁଇ ପୁଅ ବିରୋଧ କରୁଥିଲେ । ସେହି କାରଣରୁ ଦୁଇ ପୁଅଙ୍କ ବେକରେ ପ୍ରଥମେ ଗାମୁଛା ଭିଡ଼ି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ, ଏହାପରେ ସେମାନଙ୍କୁ ଏକ ଲୁଗାରେ ବାନ୍ଧି ଶିଡ଼ିରେ ଝୁଲାଇ ଦେଇଥିଲା ନୃଶଂସ ବାପା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.