ଭାରତ-ଆମେରିକାର ବଡ଼ ଡିଲ: ବିଶ୍ୱସ୍ତରରେ ମଜଭୁତ ହେବ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରୀ

Published By : Prameya-News7 Bureau | September 10, 2024 IST

indiatoday

ନୂଆଦିଲ୍ଲୀ: ଭାରତ ଆମେରିକାର ବଡ଼ ଡିଲ୍। ବିଶ୍ୱ ସ୍ତରରେ ସେମିକଣ୍ଡକ୍ଟର ସପ୍ଲାଏ ଚେନକୁ ବିସ୍ତାର କରିବା ଦିଗରେ ଦୁଇ ଦେଶ ମିଳିତ ଭାବେ ବଡ଼ ପଦକ୍ଷେପ ନେଇଛନ୍ତି। ଭାରତର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ସହିତ ଆମେରିକା ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍ ମିଳିତ ଭାବେ କାର୍ଯ୍ୟ କରିବ। ସେମିକଣ୍ଡକ୍ଟର ଇକୋସିଷ୍ଟମରେ ବିବିଧତା ଆଣିବାକୁ ବିଭିନ୍ନ ଦିଗକୁ ଖୋଜିବାକୁ ଚେଷ୍ଟା କରିବ। 

ଆମେରିକା ଓ  ଭାରତର ଏହି ପଦକ୍ଷେପକୁ ଚିପ୍ସ ଆକ୍ଟ ୨୦୨୨ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଇଣ୍ଟରନ୍ୟାସ୍‌ନାଲ ଟେକ୍ନୋଲୋଜୀ ସିକ୍ୟୁରିଟି ଆଣ୍ଡ ଇନୋଭେସନ ବା ITSI ଫଣ୍ଡ ସହଯୋଗ କରିବ। ଏଥିରେ ସେମିକଣ୍ଡକ୍ଟର ଉତ୍ପାଦନର ବୃଦ୍ଧିକୁ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। 

ଏହି ପାର୍ଟନର୍ସିପ୍‌ର ଲକ୍ଷ୍ୟ ହେଉଛି ଗୋଟେ ଦୃଢ଼ ଅନ୍ତର୍ଜାତୀୟ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ ପ୍ରତିଷ୍ଠା କରିବା। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତର ବର୍ତ୍ତମାନ ସେମିକଣ୍ଡକ୍ଟରର ଇକୋସିଷ୍ଟମ,ପରିଚାଳନା ନିୟାମକ, ଶ୍ରମବଳର ଦକ୍ଷତା ଏବଂ ବିନିର୍ମାଣ ବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ସବିଶେଷ ଆକଳନ କରାଯିବ।  ଏହି ଗବେଷଣାରେ ଭାରତର ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ,ଗବେଷଣା ସଂସ୍ଥା, ଏବଂ ଘରୋଇ କମ୍ପାନୀ ସହଯୋଗ କରିବେ। 

ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜଭୁତ କରିବ। ବିଶେଷ କରି ଟେକ୍ନୋଲୋଜୀ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ ନୂଆ ନୂଆ ଆବିଷ୍କାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.