ଅଜୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ବାଣୀ କପୁର, ଦେଖିବାକୁ ମିଳିବ ଦମ୍‌ଦାର କେମେଷ୍ଟ୍ରି

Published By : Prameya-News7 Bureau | April 11, 2025 IST

ମୁମ୍ଵାଇ ୧୧।୦୪; ଫିଲ୍ମ ‘ରେଡ୍‌-୨’ରେ ପୁଣି ଥରେ ସଚ୍ଚୋଟ ଆୟକର ଅଧିକାରୀ ଅମୟ ପଟ୍ଟନାୟକ ଭାବେ ବଡ଼ ପରଦାକୁ ଫେରୁଛନ୍ତି ଅଜୟ ଦେବଗନ । ଗତ ମଙ୍ଗଳବାର ଫିଲ୍ମର ଟ୍ରେଲର୍‌  ରିଲିଜ୍‌ ହୋଇଥିଲା । ଟ୍ରେଲର୍‌ ଦେଖିବା ପରେ ଫ୍ୟାନ୍‌ଙ୍କର ଗୋଟିଏ ପ୍ରଶ୍ନ ଥିଲା, ଅଜୟଙ୍କ  ପତ୍ନୀଙ୍କ ଭୂମିକାରେ ଏଥର ଇଲିଆନା କାହିଁକି ନାହାନ୍ତି? ତାଙ୍କ ସ୍ଥାନରେ ବାଣୀ କପୁର  କାହିଁକି? ଏହି ପ୍ରଶ୍ନର ଉତ୍ତର ନିଜେ ଅଜୟ ଓ ବାଣୀ ଟ୍ରେଲର୍‌ ଲଞ୍ଚ୍‌ କାର୍ଯ୍ୟକ୍ରମରେ ଦେଇଥିଲେ । 

ଅଜୟ କହିଲେ, ହଲିଉଡ୍‌ ଫିଲ୍ମରେ ବି ଆପଣ ଏହା ଦେଖିଛନ୍ତି । ଶନ୍‌ କନରୀଙ୍କ ପରେ ମଧ୍ୟ ଅନେକ ଲୋକ ଜେମ୍ସ ବଣ୍ଡ୍‌ ହୋଇଛନ୍ତି । ପ୍ରକୃତରେ ଲୋକେ ଚରିତ୍ରକୁ  ଦେଖନ୍ତି । ସେଥିରେ ନୂଆ ଲୋକ ଆସିବା ସାଧାରଣ କଥା । ଏ ବିଷୟରେ ବାଣୀ କହିଲେ, ଇଲିଆନା ଓ ତାଙ୍କ ମଧ୍ୟରେ କୌଣସି  ସମସ୍ୟା ନାହିଁ । ପରଦା ପଛରେ ଉଭୟଙ୍କ ସମ୍ପର୍କ ବହୁତ ଭଲ । ଜଣେ କଳାକାର ଭାବେ କେବଳ ନିଜ ଚରିତ୍ରକୁ ସଚ୍ଚୋଟତାର ସହ  ନିର୍ବାହ କରିବାକୁ ପଡ଼େ, ଯେମିତି ନିର୍ଦ୍ଦେଶକ ଓ ଲେଖକ କହନ୍ତି । ସେ ଆହୁରି ମଧ୍ୟ କହିଲେ, ‘ରେଡ୍‌-୨’ରେ ତାଙ୍କୁ ଅଲଗା ଅନ୍ଦାଜ୍‌ ଦେଖାଇବାର ସୁଯୋଗ ମିଳିଲା । ତାହା ତାଙ୍କ ପାଇଁ ଏକ ତାଜା ଅନୁଭବ ଥିଲା । 

‘ରେଡ୍‌-୨’ ୨୦୧୮ ମସିହାର ହିଟ୍‌ ଫିଲ୍ମ ‘ରେଡ୍‌’ର ସିକ୍ୱେଲ । ଏହାର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା ।  ଅଜୟ ଦେବଗନ ଓ ସୌରଭ ଶୁକ୍ଳା ପୁଣି ଥରେ ପୂର୍ବ ଭୂମିକାରେ ନଜର ଆସିବେ । ବାଣୀ ଓ ରିତେଶ ଦେଶମୁଖ ଏ ଥର ନୂଆ ଚେହେରା ଭାବେ ଫିଲ୍ମରେ  ସାମିଲ ହୋଇଛନ୍ତି । ଆସନ୍ତା ମେ’ ୧ ତାରିଖରେ  ଫିଲ୍ମଟି ରିଲିଜ ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.