ବର୍ଷା କଲା କମାଲ: କମିବ ଡାଲି, ଚାଉଳ ଓ ପନିପରିବା, ଡିମାଣ୍ଡ ଠାରୁ ହେବ ଅଧିକ ସପ୍ଲାଏ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ଭାରତ ଏକ କୃଷି ପ୍ରଧାନ ଦେଶ। ଭଲ ବର୍ଷା ହେଲା ଭଲ ଚାଷ ହେବ। ଆଉ ଭଲ ଅମଳ ହେଲେ ଦରଦାମ କମିବ।  ଏଥର ଭଲ ବର୍ଷା ହୋଇଛି। ତେଣୁ ଆଗକୁ ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦାମ କମିବ। ଏମିତି କି କ୍ଷୀର ଦାମ ବି କମିବ ବୋଲି କୁହାଯାଉଛି। ଏନେଇ ଏକ ସର୍ଭେ ରିପୋର୍ଟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହ ଆପଣଙ୍କୁ ଖୁସୀ କରିଦେବ।

ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଭାରତରେ ବେଶ କିଛିଦିନ ଭଲ ବର୍ଷା ହୋଇଛି। ୮ ପ୍ରତିଶତ ବର୍ଷା ଅଧିକ ହୋଇଛି। ତେଣୁ ଆଗାମୀ ଦିନରେ ପନିପରିବା ଓ କ୍ଷୀର ଦାମ ହ୍ରାସ ପାଇବ। ଏମ୍‌.କେ ଗ୍ଲୋବାଲ ଫାଇନାନ୍ସିଆଲ ସର୍ଭିସେଜ୍‌ର ଗବେଷଣା ରିପୋର୍ଟ ଅନୁସାରେ, ବର୍ଷା ସିଜନରେ ସମସ୍ତ ମୁଖ୍ୟ ଫସଲର ଭଲ ରୋପଣ ହୋଇଛି। 

ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ମୋଟ ୧୦୯. ୨ ମିଲିଅନ ହେକ୍ଟର୍ସରେ ଫସଲ ଚାଷ ହୋଇଛି। ଗତବର୍ଷ ଅପେକ୍ଷା ଦୁଇ ପ୍ରତିଶତ ଅଧିକ ଚାଷ ହୋଇଛି। ତେଣୁ ଡିମାଣ୍ଡ-ସପ୍ଲାଏ ସୂତ୍ରକୁ ବିଚାରକୁ ନେଲେ ଅଧିକ ଚାଷ ହେଲେ ଅଧିକ ଅମଳ ହେବ। ତେଣୁ ଚାହିଦା ଠାରୁ ଅଧିକ ସପ୍ଲାଏ ହେବ। ଆବଶ୍ୟକ ଠାରୁ ଅଧିକ ସପ୍ଲାଏ ହେଲେ ଦରଦାମ କମିବ।  

ରିପୋର୍ଟ ଅନୁସାରେ, ଭାରତରେ ବର୍ତ୍ତମାନ ଫସଲ ରୋପଣ ପାଖାପାଖି ସରିଛି। ତଥ୍ୟ ଅନୁସାରେ, ୪୧ ମିଲିଅନ ହେକ୍ଟରରେ ଧାନ ଚାଷ, ୧୨.୬ ମିଲିଅନ ହେକ୍ଟରରେ ଡାଲି ଚାଷ, ୧୮.୯ ମିଲିଅନ ହେକ୍ଟରରେ ଜଅ,ବାଜରା,ମକ୍କା, ମାଣ୍ଡିଆ ଆଦି ମୋଟା ଶସ୍ୟ ଚାଷ ଓ ୧୯.୨ ମିଲିଅନ ହେକ୍ଟର୍‌ ଚାଷ ହୋଇଛି। 

ତେଣୁ ଏବେ ସମସ୍ତଙ୍କ ଫୋକସ୍ ଫସଲ ଅମଳ ଉପରେ ରହିଛି। ନିକଟରେ ଅଧିକ ସପ୍ଲାଏ ହୋଇଥିବାରୁ ଦରଦାମ ସାମାନ୍ୟ କମିଛି। ଏହା କିଛି ସମୟ ପାଇଁ ସ୍ଥିର ରହିପାରେ।  

ଚଳିତ ବର୍ଷ ଖରିଫ ଫସଲର ଚାଷ ଗତ ବର୍ଷ ତୁଳନାରେ ୨.୨ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ଭବିଷ୍ୟତରେ ଭଲ ଅମଳର ଆଶା ଅଛି। ଯେ ପର୍ଯ୍ୟନ୍ତ ନୂଆ ଫସଲ ବଜାରକୁ ଆସି ନାହିଁ ସେପର୍ଯ୍ୟନ୍ତ ଦରଦାମ କମ ବେଶି ହୋଇପାରେ। ହେଲେ ବଜାରକୁ ନୂଆ ଫସଲ ଆସିବା ପରେ ମୂଲ୍ୟ ହ୍ରାସ ପାଇପାରେ ବୋଲି ଏମ୍‌.କେ ଗ୍ଲୋବାଲ ଫାଇନାନ୍ସିଆଲ ସର୍ଭିସେଜ୍‌ କହିଛି।

ସେପଟେ ଏଥର ଦେଶରେ ବର୍ଷା ଭଲ ହୋଇଛି। ମୋଟାମୋଟି ଏପର୍ଯ୍ୟନ୍ତ ୮୧୭.୯ ମିଲିମିଟର ବର୍ଷା ହୋଇଛି। ଗତବର୍ଷ ଏହି ଅବଧିରେ ୬୮୪.୬ ମିଲିମିଟର ବର୍ଷା ହୋଇଥିଲା ତେଣୁ ଭଲ ବର୍ଷା ଯୋଗୁ ଜଳଭଣ୍ଡାର ବୃଦ୍ଧି ପାଇଛି। 
 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.