ଯାଜପୁର୨୨/୩: ଜେଇ ବାବୁଙ୍କ ଅମାପ ସଂପତ୍ତି । ବାଲିଅନ୍ତାରେ ଆଖି ଖୋସିଲା ପରି ଘର । ଘରକୁ ପୁରା ରାଜଉଆସ ପରି ସଜେଇ ଥିଲେ । ପାଣି ଫ୍ୟାକ୍ଟ୍ରି ଓ କାଠ ବ୍ୟବସାୟ ସହ ରହିଛି ଇଟା କଂପାନୀ । ଯାଜପୁର ଆରଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଅମାପ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ବ୍ୟବସାୟରେ ଲଗାଉଥିଲେ ଲାଞ୍ଚ ଟଙ୍କା । ଲାଞ୍ଚ ଟଙ୍କାରେ ବିରାଟ ସାମ୍ରାଜ୍ୟ ମେଲାଇ ଥିଲେ ଭୀମସେନ।
ଭୁବନେଶ୍ବର ବାଲିଅନ୍ତା ବେଣ୍ଟପୁର ସ୍ଥିତ ଘରେ ଭିଜିଲାନ୍ସ ଟିମ୍ର ମାରାଥନ ରେଡ୍ ପରେ ଏସବୁ କାରନାମା ସାମ୍ନାକୁ ଆସିଛି । ବେଣ୍ଟପୁର ସ୍ଥିତ ଘରୁ ଚଢାଉ ବେଳେ ଠାବ ହୋଇଛି ପାଣି ଫ୍ୟାକ୍ଟ୍ରି ଓ ଫର୍ଣ୍ଣିଚର ସୋ ରୁମ । ପାଣି କାରଖାନାରେ ସେ ୧କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଥିବା ସୂଚନା ମିଳିଛି ।
ଶୁକ୍ରବାର ସଂଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ୍ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ । ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷ ୩ହଜାର ୯୪୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ ଭୀମସେନ । ଟଙ୍କା ସହ ତାଙ୍କ କାର୍ ଜବତ କରିଥିଲା ଭିଜିଲାନ୍ସ ଟିମ୍ ।
ଗିରଫ ପରେ ଭୀମସେନଙ୍କୁ ଜେରା କରିଥିଲା ଭିଜିଲାନ୍ସ ଟିମ୍ । ରାତିରେ ଯାଜପୁର କୁଆଖିଆ ସେକ୍ସନ ଅଫିସ ଉପରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ବିଭିନ୍ନ ବିଲ୍,କାର୍ଯ୍ୟାଦେଶ ଓ ଟେଣ୍ଡର ଆଦିର କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏତେ ଟଙ୍କା ସେ କେଉଁଠୁ ଆଣୁଥିଲେ ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଭୀମସେନ । ଏହା ପରେ ଭୀମସେନଙ୍କ ଅଫିସ, ଘରେ ମାରାଥନ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।