ନୂଆଦିଲ୍ଲୀ ୨୨।୩: ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ଲେଖକ ବିନୋଦ କୁମାର ଶୁକ୍ଳଙ୍କୁ ଦେଶର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାରରେ ସମ୍ମାନୀତ କରାଯିବ। ଏହି ପୁରସ୍କାର ପାଇବାରେ ବିନୋଦ କୁମାର ଶୁକ୍ଳ ଛତିଶଗଡ଼ର ପ୍ରଥମ ଲେଖକ। ୮୮ ବର୍ଷ ବୟଷ୍କ ଶୁକ୍ଳ ତାଙ୍କର କାହାଣୀ, କବିତା ଓ ପ୍ରବନ୍ଧ ଲାଗି ବେଶ୍ ପରିଚିତ ଓ ସମକାଳୀନ ହିନ୍ଦୀ ସାହିତ୍ୟର ସବୁଠୁ ପ୍ରଭାବଶାଳୀ ରଚନାକାରଙ୍କ ମଧ୍ୟରେ ତାଙ୍କୁ ଗଣାଯାଏ। ଏହି ପୁରସ୍କାରରେ ନଗଦ ୧୧ଲକ୍ଷ ଟଙ୍କା, ମା ସରସ୍ୱତୀଙ୍କ କାଂଶ୍ୟ ପ୍ରତିମା ଓ ପ୍ରଶସ୍ତି ପତ୍ର ସହିତ ସମ୍ମାନୀତ କରାଯାଏ।
ଦେଶର ଏହି ପ୍ରତିଷ୍ଠିତ ସମ୍ମାନ ନିମନ୍ତେ ମନୋନୀତ ହୋଇଥିବାରୁ ବିନୋଦ କୁମାର ଶୁକ୍ଳ ଅପାର ଖୁସି ବ୍ୟକ୍ତ କରିଥିବା ବେଳେ ଏଭଳି ସମ୍ମାନ ପାଇବେ ବୋଲି ସେ କେବେ ଭାବିନଥିଲେ କହିଛନ୍ତି। ନିଜର ସହଜ ଭାଷା ଓ ସମ୍ବେଦନଶୀଳ ଲେଖନୀ ଚାଳନା ନିମନ୍ତେ ପରିଚିତ ଶୁକ୍ଳ କହିଛନ୍ତି ଯେ ‘ଏହା ଏକ ବଡ଼ ପୁରସ୍କାର। ମୁଁ କେବେ ଭାବିନଥିଲି ଏହି ପୁରସ୍କାର ପାଇବି। ତେବେ ରଚନା ସୃଷ୍ଟି କରିବା ବେଳେ କେବେ ମୁଁ ପୁରସ୍କାର କଥା ଭାବିନଥାଏ। ଲୋକେ ପ୍ରାୟ କହନ୍ତି ମୋତେ ଜ୍ଞାନପୀଠ ପୁରସ୍କାର ମିଳିବା ଉଚିତ, ଏଥିରେ ମୁଁ ବା କଣ କହନ୍ତି କିଛି କହିବାକୁ ଶବ୍ଦ ଖୋଜି ପାଏନି’।
ବିନୋଦ କୁମାର ଶୁକ୍ଳଙ୍କ ଲେଖନୀ ଆଜି ବି ସକ୍ରିୟ। ଖାସ କରି ପିଲାଙ୍କ ଲାଗି ଲେଖିବାକୁ ସେ ଖୁବ୍ ପସନ୍ଦ କରନ୍ତି। ସେ କହନ୍ତି ଲେଖିବା ଏକ ଛୋଟ କଥା ନୁହେଁ, ଏହା ନିରନ୍ତର ଜାରି ରହିବା ଦରକାର ଓ ପାଠକଙ୍କ ପ୍ରତିକ୍ରିୟା ଉପରେ ଧ୍ୟାନ ରଖିବା ଉଚିତ। ଜ୍ଞାନପୀଠ ଚୟନ କମିଟି ବୈଠକରେ ବିନୋଦ କୁମାର ଶୁକ୍ଳଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଜ୍ଞାନପୀଠ ସମ୍ମାନରେ ପୁରସ୍କୃତ ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଚୟନ କମିଟି ତାଙ୍କ ବୟାନରେ କହିଛନ୍ତି ଯେ ‘ଏହି ସମ୍ମାନ ବିନୋଦ କୁମାର ଶୁକ୍ଳଙ୍କୁ ହିନ୍ଦୀ ସାହିତ୍ୟରେ ତାଙ୍କର ବିଶିଷ୍ଟ ଯୋଗଦାନ, ରଚନାତ୍ମକତା ଓ ଅନନ୍ୟ ଲେଖନ ଶୈଳୀ ପାଇଁ ଦିଆଯାଉଛି’।
ବିନୋଦ କୁମାର ଶୁକ୍ଳଙ୍କ ରଚନାମାନଙ୍କ ମଧ୍ୟରେ ‘ଦିବାର ମେଁ ଏକ ଖିଡକୀ ରହତୀ ଥି’(ଏଥିଲାଗି ତାଙ୍କୁ ୧୯୯୯ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା), ‘ନୌକର କୀ କମିଜ୍’ (୧୯୭୯ରେ ମଣି କୌଲ ଏହି ପୁସ୍ତକ ଉପରେ ଚଳଚିତ୍ର ନିର୍ମାଣ କରିଥିଲେ) ଓ କବିତା ସଂଗ୍ରହ ‘ସବକୁଛ ହୋନା ବଚା ରହେଗା ’(୧୯୯୨) ଆଦି ପ୍ରମୁଖ। ଜ୍ଞାନପୀଠ ପୁରସ୍କାରର ଆରମ୍ଭ ୧୯୬୧ ମସିହାରେ ହୋଇଥିଲା ଓ ୧୯୬୫ ମସିହାରେ ମଲୟାଲମ କବି ଜୀ.ଶଙ୍କର କୂରୁପଙ୍କୁ ଏହି ପୁରସ୍କାରରେ ପ୍ରଥମେ ସମ୍ମାନୀତ କରାଯାଇଥିଲା। ଏହି ପୁରସ୍କାର କେବଳ ଭାରତୀୟ ଲେଖକଙ୍କୁ ଦିଆଯାଏ।