ପଶ୍ଚିମବଙ୍ଗରେ ହିଂସାର ରୂପ ନେଲା ୱାକ୍‌ଫ ବିକ୍ଷୋଭ: ଟ୍ରେନ୍ ଭାଙ୍ଗିଲେ, ଗାଡ଼ି ପୋଡ଼ିଲେ, ୧୦ ପୁଲିସ କର୍ମୀ ଆହତ

Published By : Prameya-News7 Bureau | April 11, 2025 IST

କୋଲକାତାପଶ୍ଚିମବଙ୍ଗରେ ହିଂସାର ରୂପ ନେଲା ୱାକ୍‌ଫ ବିକ୍ଷୋଭ। ଶୁକ୍ରବାର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଟ୍ରେନ୍ ଉପରେ ପଥର ମାଡ଼ କରିଛନ୍ତି ହିଂସାକାରୀ।  ନିମିତିତା ଷ୍ଟେସନରେ ଅଟକିଥିବା ଏକ ଟ୍ରେନ ଉପରେ ଉତ୍ତ୍ୟକ୍ତ ଲୋକେ ପଥର ମାଡ଼ କରିବା ସହିତ ବେଙ୍ଗଲରେ ପୁଣି ନୂଆ ହିଂସାକାଣ୍ଡ ଆରମ୍ଭ ହୋଇଛି। ଉତ୍ତ୍ୟକ୍ତ ଜନତା ଷ୍ଟେସନ ସମ୍ପତ୍ତିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ହିଂସାରେ ୭ରୁ ୧୦ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସୀମା ସୁରକ୍ଷା ବାହିନୀର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ଏହି ଘଟଣା ପରେ ଅତି କମରେ ଦୁଇଟି ଟ୍ରେନକୁ ବାତିଲ କରାଯାଇଛି ଏବଂ ଅନ୍ୟ ପାଞ୍ଚଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଆକ୍ରମଣରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ପୁଲିସ ସହିତ ବିକ୍ଷୋଭକାରୀମାନଙ୍କର ସଂଘର୍ଷ ହୋଇଥିଲା। ବିକ୍ଷୋଭ ହିଂସାର ରୂପ ନେବା ପରେ ହିଂସାକାରୀ ଗାଡ଼ିଗୁଡ଼ିକ ପୋଡ଼ି ଦେବା ସହିତ ଅନ୍ୟାନ୍ୟ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ।

ବର୍ତ୍ତମାନର ପରିସ୍ଥିତିକୁ ଦେଖି, ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁର୍ଶିଦାବାଦର ଅମତାଲା, ସୁତି, ଧୂଲିଆନ୍ ଏବଂ ଉତ୍ତର ୨୪ ପ୍ରଗଣା ଭଳି ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ହୋଇଥିବା ହିଂସା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। 

ଉତ୍ତେଜନା ଆଶଙ୍କା କରି, ରାଜ୍ୟପାଳ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାକୁ ବର୍ତ୍ତମାନ ସୁଦ୍ଧା ଗୋପନ ରଖାଯାଇଛି। ତେବେ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଏବଂ ବ୍ୟବସ୍ଥା ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୋଲିସ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜଭବନ ପକ୍ଷରୁ ମୁଖ୍ୟ ସଚିବଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା ଦିଆଯାଇଛି। 

ରାଜ୍ୟପାଳ ବୋଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଏହାସହିତ, ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଏବଂ ସାଧାରଣ ସହାୟତା ପାଇଁ ଏକ ହେଲ୍ପଲାଇନ୍ (033-22001641) ମଧ୍ୟ ଜାରି କରାଯାଇଛି। 

ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକ ଅନ୍ତର୍ଜାତୀୟ ସୀମା ନିକଟତର ଥିବାରୁ ରାଜ୍ୟପାଳ ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି।

ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ବିକ୍ଷଭୋକାରୀମାନଙ୍କୁ ଶାନ୍ତି ବଜାଇ ରଖିବାକୁ ଅନୁରୋଧ କରିଛନ୍ତି। ୧୬ ଏପ୍ରିଲରେ କୋଲକାତାରେ ମମତା ବାନାର୍ଜୀଙ୍କ ଇମାମମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଥଇିବାରୁ ଶାନ୍ତି ବଜାୟ ରଖିବାକୁ ସେ ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି।

ୱାକଫ୍ ଆଇନ ବିରୋଧରେ ପ୍ରତିବାଦ ହିଂସାତ୍ମକ ହେବା ପରେ ମୁର୍ଶିଦାବାଦରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ତିନି ଦିନ ପରେ ହିଂସାକାଣ୍ଡ ଆରମ୍ଭ ହୋଇଛି। ମଙ୍ଗଳବାର ୱାକ୍‌ଫ ବିଲ୍‌କୁ ବିରୋଧ କରି ଏକ ପ୍ରଦର୍ଶନ କରିବା ପାଇଁ ବହୁ ସଂଖ୍ୟାର ଲୋକ ଏକାଠି ହୋଇଥିଲେ। ରୋଡ୍‌ ବ୍ଲକ୍‌ ନେଇ ପ୍ରଦର୍ଶନକାରୀ ଓ ପୁଲି ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଅନେକ ଗାଡ଼ି ପୋଡ଼ି ଦିଆଯାଇଥିଲା ଏବଂ ପଥର ମାଡ଼ ଆରମ୍ଭ ହୋଇଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.