ନୂଆଦିଲ୍ଲୀ ୧୧।୪: ରାଜଧାନୀ ଦିଲ୍ଲୀ ଓ ସଲଗ୍ନ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ପାଗ ଅଚାନକ କଡ଼ ଲେଉଟାଇଛି, ଫଳରେ ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ଦିଲ୍ଲୀ, ନୋୟେଡା, ଗାଜିୟାବାଦ, ଗୁରୁଗ୍ରାମ ଓ ଫରିଦାବାଦ ଅଞ୍ଚଳରେ ସନ୍ଧ୍ୟାରେ ଧୁଳି ଝଡ଼ ସହ ହାଲୁକା ବର୍ଷା ହୋଇଛି। ଝଡ଼ ତୋଫାନ ଯୋଗୁ କେତେକ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଖରାପ ପାଗ ଯୋଗୁ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୫ରୁ ଅଧିକ ବିମାନର ମାର୍ଗ ବଦଳାଇବାକୁ ପଡିଛି।
ଝଡତୋଫାନ ସାଙ୍ଗକୁ ହଲୁକା ବର୍ଷା ମଧ୍ୟ ହୋଇଛି। ଫଳରେ ଜାତୀୟ ରାଜଧାନୀରେ ବଢି ଚାଲିଥିବା ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି। ଏହା ପୂର୍ବରୁ ଗୁରୁବାର ମଧ୍ୟ ଦିଲ୍ଲୀର ପାଗ ବଦଳିଥିଲା ଓ ଅନେକ ସ୍ଥାନରେ ଭୀଷଣ ବର୍ଷା ହୋଇଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଝଡତୋଫାନରେ ଗଛ ପଡିବା ଯୋଗୁ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏଣୁ କେତେକ ସ୍ଥାନରେ ଟ୍ରାଫିକ ଜାମ ଭଳି ପରିସ୍ଥିତି ଉପୁଜିଛି। ଧୁଳି ଝଡ଼ ବେଳେ ଏକ ମଧୁ ବିହାରରେ କାନ୍ଥ ପଡିବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
ସ୍କାଇମେଟ୍ ୱେଦର ଅନୁସାରେ ଏବେ ଉତ୍ତରଭାରତର ପାର୍ବତ୍ୟାଞ୍ଚଳରେ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉତ୍ତର ଭାରତର ସମତଳ ଅଞ୍ଚଳରେ ପାଣିପାଗ ବଦଳିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ପାଗ ଏଇଭଳି ରହିବ ବୋଲି କୁହାଯାଇଛି। ତେବେ ଆଶ୍ୱସ୍ତିର କଥା ହେଉଛି ଗତ ସପ୍ତାହ ତୁଳନାରେ ତାପମାତ୍ରାରେ ଅନେକ ପରିବର୍ତ୍ତନ ହୋଇଛି। ଭୀଷଣ ଗରମ ଓ ଲୁ ଯୋଗୁ ପ୍ରଭାବିତ ଦିଲ୍ଲୀବାସୀ ଦୁଇ ଦିନ ହେଲା ଆଶ୍ୱସ୍ତି ଅନୁଭବ କରୁଛନ୍ତି।
ପାଣିପାଗ ବିଭାଗ ଅନୁସାରେ ଜାତୀୟ ରାଜଧାନୀରେ ଶନିବାର ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀରେ ଏପ୍ରିଲ ୧୨ ତାରିଖ ଦିନ ବାଦଲ ଛାଇ ରହିବ। ସନ୍ଧ୍ୟା ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇ ପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି। ତେବେ ଏପ୍ରିଲ ୧୩ ତାରିଖରେ ପାଗ ସଫା ରହିବା ସହ ପୁଣି ଜାତୀୟ ରାଜଧାନୀରେ ତାପମାତ୍ରା ବଢିବା ଆରମ୍ଭ ହେବ ବୋଲି କୁହାଯାଇଛି।