'ପେଜର' ବିସ୍ଫୋରଣ କ'ଣ ? ମଧ୍ୟପ୍ରାଚ୍ୟ ଯୁଦ୍ଧରେ ‘ୟୁନିଟ୍-୮୨୦୦’ର ନୂଆ ରଣନୀତି, ଛାନିଆ ବିଶ୍ବ

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଟେକ୍ନୋଲୋଜି ଓ୍ବାର । ଇଲେକ୍ଟ୍ରିକାଲ ଉପକରଣ ମାଧ୍ୟମରେ ଟାର୍ଗେଟ୍ । ପେଜର ପରେ ଓ୍ବାକିଟକି ବିସ୍ଫୋରଣ । ଲେବାନନରେ ଚାଲିଗଲା ୨୦ ଜୀବନ । ୟୁନିଟ୍-୮୨୦୦ର ଗଣହତ୍ୟା ରଣନୀତି । ଲେବାନନରେ ନୂଆ ଶୈଳୀ ହମଲା ରଣନୀତିକୁ ନେଇ ଛାନିଆ ହୋଇଛି ସାରା ବିଶ୍ବ । ରାଜଧାନୀ ବିରୁଟରେ ପେଜର ବ୍ଲାଷ୍ଟ ପରେ ଓ୍ବାକିଟକି ମାଧ୍ୟମରେ ହିଜବୁଲ୍ଲା ସଂଗଠନ ଟାର୍ଗେଟ୍ କରାଯାଇଛି । ମଙ୍ଗଳବାର ପ୍ରାୟ ୫ ହଜାର ପେଜରରେ ସିରିଜ୍ ବିସ୍ଫୋରଣ ହୋଇଥିଲା । ଆଉ ବୁଧବାର ଓ୍ବାକିଟକି ଜରିଆରେ ବିସ୍ଫୋରଣ କରି ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳାଯାଇଛି । ଏହି ସିରିଜ୍ ବିସ୍ଫୋରଣରେ ପ୍ରାୟ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ନିର୍ମମ ନରହତ୍ୟା, ହିଲବୁଲ୍ଲା ଆତଙ୍କୀ ସଂଗଠନର ମୂଳଦୁଆକୁ ଦୋହଲାଇ ଦେଇଛି । 

ପେଜର ଡିଭାଇସ୍ ରେ ହମଲା କାହାର ରଣନୀତି ? ଇଲେକ୍ଟ୍ରିକାଲ ଉପକରଣରେ କିପରି କରାଯାଇଥିଲା ଟାର୍ଗେଟ୍ ? ପେଜରରେ ବିସ୍ଫୋରଣ ଏକ ନୂଆ ପର୍ଯ୍ୟାୟର ଯୁଦ୍ଧ ରଣନୀତି । ଇସ୍ରାଏଲ ଗୁଇନ୍ଦା ଏଜେନ୍ସି ମୋସାଦର ସାଇବର ଶାଖା ‘ୟୁନିଟ୍-୮୨୦୦’ ଏହି ଷଡ଼ଯନ୍ତ୍ର ରଚି ଆକ୍ରମଣ କରୁଛି । ପ୍ରାୟ ୫ହାଜର ପେଜରରେ ୩ରୁ ୪ ଗ୍ରାମ୍ ବିସ୍ଫୋରକ ଖଞ୍ଜି ଏହାକୁ ଲେବାନନର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ କରାଯାଇଛି । କେବଳ ପେଜର ନୁହେଁ ଓ୍ବାକିଟକି ଏବଂ ସୋଲାର ସିଷ୍ଟମକୁ ମଧ୍ୟ ଏହି ନରସଂହାରରେ ‘ୟୁନିଟ୍-୮୨୦୦’ ବ୍ୟବହାର କରିଥିବା ସୂଚନା ରହିଛି । 

ପେଜର ଡିଭାଇସ୍ କ’ଣ ? ଏହା କିପରି କାମ କରେ ? ପେଜର ଏକ ଛୋଟ ମେସେଞ୍ଜର ଡିଭାଇସ୍ । ଏହାର ନିର୍ମାଣ ୧୯୫୦ରୁ ୧୯୬୦ ମଧ୍ୟରେ ହୋଇଥିଲା । ୮୦ରୁ ୯୦ ଦଶକରେ ମେସେଜ ଆଦାନପ୍ରଦାନରେ ଲୋକେ ଏହାକୁ ବ୍ୟବହାର କରୁଥିଲେ । ଏହା ରେଡିଓ ଫ୍ରକ୍ୟୁଏନ୍ସିରେ କାମ କରିଥାଏ । ଇସ୍ରାଏଲ୍ ଗୁଇନ୍ଦା ଏଜେନ୍ସି ମୋସାଦ ଆଖିରେ ଧୂଳି ଦେବା ଲାଗି ଫୋନ୍ ବଦଳରେ ଏହି ଡିଭାଇସକୁ ବ୍ୟବହାର କରୁଥିଲା ହିଜବୁଲ୍ଲା ଆତଙ୍କୀ ସଂଗଠନ । ଏହି ଡିଭାଇସକୁ ତାଇଓ୍ବାନ କମ୍ପାନୀ ଗୋଲ୍ଡ ଆପୋଲୋଠାରୁ ମଗାଯାଇଥିଲା । ପେଜର ଗୁଡ଼ିକ ସାଧାରଣତ କୋଡ୍ ଦ୍ବାରା ପରିଚାଳିତ ହୋଇଥାଏ । ମଙ୍ଗଳବାର ହିଜବୁଲ୍ଲା ବ୍ୟବହାର କରୁଥିବା ଥିବା ସମସ୍ତ ପେଜରରେ ଏକ ମେସେଜ ଆସିଥିଲା ଏବଂ ଏହାର କିଛି ସମୟ ପରେ ସିରିଜ୍ ବିସ୍ଫୋରଣ ହୋଇଥିଲା ।

ପେଜରରେ କିଏ ଖଞ୍ଜିଥିଲା ବିସ୍ଫୋରକ ଚିଫ୍ ? ପେଜର ଡିଭାଇସ୍ ତିଆରି କରିଥିବା ସଂସ୍ଥା ଏହା ଭିତରେ ବିସ୍ଫୋରକ ପଦାର୍ଥ ରଖିଥିବା ନେଇ ସନ୍ଦେହ କରାଯାଉଛି । ଲେବାନନରୁ ହିଜବୁଲ୍ଲା ଚରମପନ୍ଥୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ଏହି ଷଡ଼ଯନ୍ତ୍ର ରଚିଥିଲା । ଗୁଇନ୍ଦା ଏଜେନ୍ସି କିଛି  ଅଧିକାରୀ ଏଥିପାଇଁ ଦୁଇ ବର୍ଷ ହେବା କାମ କରୁଥିଲେ ଏବଂ ବ୍ଲାଷ୍ଟ ପାଇଁ ଏକ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲେ । ପେଜର ବ୍ୟାଟେରୀକୁ ଗରମ କରିବାକୁ ଏକ ସ୍ବତନ୍ତ୍ର ମେସେଜ ବ୍ୟବହାର କରାଯାଇଥିଲା । ଏହି ମେସେଜ୍ ରିସିଭ୍ ହେବା ମାତ୍ରରେ ଡିଭାଇସ୍ ଆକ୍ଟିଭେଟ୍ ହୋଇଯାଇଥିଲା ।  

ହିଜବୁଲ୍ଲା ସଂଗଠନ ପେଜର ବିସ୍ଫୋରଣ ଘଟଣାକୁ ନେଇ ଇସ୍ରାଏଲକୁ ସିଧାସଳଖ ଦାୟୀ କରିଛି । ଇରାନ ମଧ୍ୟ ଏହାକୁ ନରସଂହାର ଆଖ୍ୟା ଦେଇ ନିନ୍ଦା କରିଛି । ହିଜବୁଲ୍ଲା ସଂଗଠନ ଏକ ବୟାନ ଜାରି କରି, ଖୁବ୍ ଶୀଘ୍ର ଇସ୍ରାଏଲ ଷଡ଼ଯନ୍ତ୍ରର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି ।...     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.