୧୯୫୦ରେ ୫ ହଜାର ଟଙ୍କା ମିଳୁଥିଲା, ଏବେ ଜାଣନ୍ତୁ CJIଙ୍କ ବେତନ ଓ ପେନସନ କେତେ?

Published By : Prameya-News7 Bureau | November 10, 2024 IST

ନୂଆଦିଲ୍ଲୀ ୧୦।୧୧: ଭାରତୀୟ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ସଞ୍ଜୀବ ଖନ୍ନା ସୋମବାର ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ସେ ଏପର୍ଯ୍ୟନ୍ତ ସିଜେଆଇ ଥିବା ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ନେବେ। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ସୁପ୍ରିମକୋର୍ଟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇ ସାରିଛି। ତେବେ ଆପଣ ଜାଣନ୍ତି କି ଭାରତର ପ୍ରଧାନ ବିଚାରପତିଙ୍କୁ ମାସିକ କେତେ ବେତନ ମିଳେ ଓ ତାଙ୍କ ପେନସନ କେତେ?

ଭାରତରେ ସୁପ୍ରିମକୋର୍ଟ ବିଚାରପତିଙ୍କ ବେତନ, ପେନସନ, ଗ୍ରାଚ୍ୟୁଟି ଓ ଭତ୍ତା ଆଦି ବ୍ୟବସ୍ଥା ୧୯୫୮ ସୁପ୍ରିମକୋର୍ଟ ଜଜେସ୍ (ବେତନ ଓ କାର୍ଯ୍ୟ ସର୍ତ୍ତ) ଅଧିନିୟମରେ ନିର୍ଦ୍ଧାରଣ ହୋଇଥାଏ। ୨୦୧୬ ମସିହାରେ ଏହି ଅଧିନିୟମକୁ ସଂଶୋଧନ କରାଯାଇଥିଲା। ଏହା ପରେ ସୁପ୍ରିମକୋର୍ଟ ଜଜମାନଙ୍କ ବେତନ ବଢି ଯାଇଥିଲା। 

ପ୍ରଧାନ ବିଚାରପତିଙ୍କ ବେତନର ଇତିହାସ
୧୯୫୦ ମସିହାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ମାସିକ ୫ ହଜାର ଟଙ୍କା ବେତନ ମିଳୁଥିଲା। ୧୯୮୬ ମସିହାରେ ଏହାକୁ ବଢାଇ ୧୦ ହଜାର ଟଙ୍କା କରାଯାଇଥିଲା। ୧୯୯୬ ମସିହା ବେଳକୁ ଏହା ବଢି ୩୩ ହଜାର ଟଙ୍କା ହୋଇଥିଲା। ୨୦୦୯ ମସିହାରେ ସିଜେଆଇଙ୍କ ବେତନ ବଢାଇ ୧ ଲକ୍ଷ ଟଙ୍କା କରାଯାଇଥିଲା। ୨୦୧୬ରେ ଷଷ୍ଠ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ସିଜେଆଇଙ୍କ ବେତନ ପୁଣି ବଢି ଯାଇଥିଲା। 

ବର୍ତ୍ତମାନର ପ୍ରଧାନ ବିଚାରପତିଙ୍କ ବେତନ ଓ ଭତ୍ତା
ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ମାସିକ ୨.୮ଲକ୍ଷ ଟଙ୍କା ବେତନ ମିଳିଥାଏ। ରିଟାୟରମେଣ୍ଟରେ ଗ୍ରାଚ୍ୟୁଟି ବେନିଫିଟ ଭାବେ ୨୦ ଲକ୍ଷ ଟଙ୍କା ମିଳେ। ସେହିପରି ପେନସନ ରୂପେ ବାର୍ଷିକ ୧୬.୮ ଲକ୍ଷ ଟଙ୍କା ମିଳିଥାଏ। ସିଜେଆଇଙ୍କୁ ତାଙ୍କ ବେସିକ୍ ସାଲାରିର ୨୪ ପ୍ରତିଶତ ହାଉସ୍ ରେଣ୍ଟ ରୂପେ ମିଳିଥାଏ। ସେହିପରି ଗେଷ୍ଟ ଆଲାଉନ୍ସ ରୂପେ ମାସିକ ୪୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଫର୍ଣ୍ଣିଚର କିଣିବା ପାଇଁ ୧୦ଲକ୍ଷ ଟଙ୍କା ଦିଆଯାଏ। 

ମହଙ୍ଗାଭତ୍ତା ଓ ହାଉସ୍ ରେଣ୍ଟ ଆଲାଉନ୍ସ

ଯେତେବେଳେ ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କ ମହଙ୍ଗା ଭତ୍ତା (ଡିଏ) ୨୫ ପ୍ରତିଶତ ବଢି ଯାଏ ତାଙ୍କ ହାଉସ୍ ରେଣ୍ଟ ଆଲାଉନ୍ସ ମଧ୍ୟ ୨୭ ପ୍ରତିଶତ ବଢିଯାଏ। ଯଦି ଡିଏ ୫୦ ପ୍ରତିଶତରୁ ଅଧିକ ହୁଏ ତେବେ ହାଉସ୍ ରେଣ୍ଟ ଆଲାଉନ୍ସ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢାଯାଇଥାଏ। ଭାରତର ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିବା ଏହି ସବୁ ବିଶେଷ ସୁବିଧାରୁ ତାଙ୍କର ଗୁରୁଦାୟିତ୍ୱ ଓ ତାଙ୍କ କାର୍ଯ୍ୟର ଗୁରୁତ୍ୱର ସଂକେତ ମିଳେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.