ନୂଆଦିଲ୍ଲୀ ୦୬।୦୫: ଭାରତ-ପାକିସ୍ତାନ । ପାରମ୍ପରିକ ପ୍ରତିଦ୍ବନ୍ଦୀ । ଏବେ ଶତ୍ରୁତା ହୋଇଛି ଅଧିକ ଗଭୀର । ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ଅସନ୍ତୋଷ । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଆକାଶପଥ ଯାଏ, ଭାରତ ପାକିସ୍ତାନକୁ ସବୁଆଡୁ କରୁଛି ବନ୍ଦ । ଏମିତିକି ବାଣିଜ୍ୟିକ ସମ୍ପର୍କ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନେଉଛି କଡ଼ା ନିଷ୍ପତ୍ତି । ଏବେ ପ୍ରଶ୍ନ ଆସୁଛି ପାକିସ୍ତାନ ସହିତ ବାଣିଜ୍ୟ ବନ୍ଦ କରିବା ଦ୍ୱାରା ଭାରତ ଉପରେ କେତେ ପଡ଼ିବ ପ୍ରଭାବ ? ଦୁଇ ଦେଶ ମଧ୍ୟରେ କେଉଁ ଜିନିଷ ଆମଦାନୀ ଏବଂ ରପ୍ତାନି ହେଉଥିଲା ? ଯଦି ପାକିସ୍ତାନରୁ ରପ୍ତାନି ବନ୍ଦ ହୁଏ, ତେବେ ଭାରତରେ କେଉଁ ଜିନିଷ ହୋଇଯିବ ମହଙ୍ଗା ?
ବାସ୍ତବରେ ପାକିସ୍ତାନରେ ଏପରି ଏକ ଜିନିଷ ଅଛି, ଯାହା ଉପରେ ଭାରତ ବହୁତ ନିର୍ଭରଶୀଳ । ୮୦ ପ୍ରତିଶତ ଭାରତୀୟଙ୍କ ଘରେ ଏହା ବ୍ୟବହୃତ । ଏହି ଜିନିଷ ପାକିସ୍ତାନରେ ୨-୩ ଟଙ୍କାରେ ମିଳୁଥିବା ବେଳେ ଭାରତରେ ଏହା ଅଧିକ ଟଙ୍କା । ପାକିସ୍ତାନ ହେଉଛି ବିଶ୍ୱର ଏକ ପ୍ରମୁଖ ଦେଶ ଯେଉଁଠାରେ ସୈନ୍ଧବ ଲୁଣ ପ୍ରଚୁର ପରିମାଣରେ ମିଳେ । ସୈନ୍ଧବ ଲୁଣ, ଲାହୋରୀ ଲୁଣ, ହାଲାଇଟ୍, ଗୋଲାପୀ ଲୁଣ ଏବଂ ହିମାଳୟନ ଲୁଣ ଭଳି ନାଁରେ ପରିଚିତ ଏହି ଲୁଣ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରଚୁର ପରିମାଣରେ ମିଳିଥାଏ ।
ଏଠାରେ ଖେୱଡା ଜିଲ୍ଲାରେ ଏକ ବିଶାଳ ଲୁଣ ଖଣି ରହିଛି । ଯାହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଖଣି । ଏଠାରେ ବାର୍ଷିକ ୪.୫ ଲକ୍ଷ ଟନ୍ ସୈନ୍ଧବ ଲୁଣ ବାହାରିଥାଏ । ପାକିସ୍ତାନରେ ସୈନ୍ଧବ ଲୁଣର ମୂଲ୍ୟ ବହୁତ କମ। ସେଠାରେ ଏକ କିଲୋଗ୍ରାମ ଲୁଣର ଦାମ ମାତ୍ର ୨ ରୁ ୩ ଟଙ୍କା। କିନ୍ତୁ ଭାରତରେ ଏହାର ମୂଲ୍ୟ ୫୦-୬୦ ଟଙ୍କା । ଏହାର ଦାମ୍ ଆମଦାନୀ ଖର୍ଚ୍ଚ, ପରିବହନ ଓ ବଜାର ଚାହିଦା ଉପରେ ର୍ନିଭର କରେ।
ଭାରତ ଏହି ଲୁଣର ସବୁଠାରୁ ବଡ଼ ଆମଦାନୀ ପାକିସ୍ତାନରୁ କରେ। ଯଦିଓ ଗତ କିଛି ବର୍ଷ ମଧ୍ୟରେ ଭାରତ ଅନ୍ୟ ଦେଶମାନଙ୍କଠାରୁ ମଧ୍ୟ ସୈନ୍ଧବ ଲୁଣ ଆମଦାନୀ ଆରମ୍ଭ କରିଛି, ତଥାପି ପାକିସ୍ତାନ ଏହାର ପ୍ରମୁଖ ଉତ୍ସ ହିସାବରେ ରହିଛି । ଭାରତରେ ସୈନ୍ଧବ ଲୁଣର ବ୍ୟବହାର ବିଶେଷ କରି ଉପବାସ ଓ ଧାର୍ମିକ ଅନୁଷ୍ଠାନ ସମୟରେ ଅଧିକ ହୋଇଥାଏ । ଏହା ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆକଳନ ଅନୁଯାୟୀ, ଭାରତକୁ ସୈନ୍ଧବ ଲୁଣ ପ୍ରାୟ ୯୯.୭ ପ୍ରତିଶତ ପାକ୍ରୁ ଆସିଥାଏ। ଆଉ କିଛି ଛୋଟ ଆମଦାନୀ ଇରାନ, ମାଲେସିଆ, ଜର୍ମାନୀ, ଆଫଗାନିସ୍ତାନ, ତୁର୍କୀ ଏବଂ ଅଷ୍ଟ୍ରେଲିଆରୁ ହୋଇଥାଏ।
ସୈନ୍ଧବ ଲୁଣ ବ୍ୟତୀତ ଭାରତ ପାକିସ୍ତାନରୁ ଶୁଷ୍କ ଫଳ, ଚମଡା ଜାତୀୟ ସାମଗ୍ରୀ, ମୁଲତାନୀ ମାଟି, ସଲଫର, ତମ୍ବା, ଫଳ, ପ୍ଲାଷ୍ଟିକ ସାମଗ୍ରୀ, ପଶମ, ଚୂନାପଥର, ଷ୍ଟିଲ ଓ ସିମେଣ୍ଟ ଆଦି ମଧ୍ୟ ଆମଦାନୀ କରେ। ତେବେ, ଏହି ସମସ୍ତ ମଧ୍ୟରେ ସୈନ୍ଧବ ଲୁଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦିଓ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କ ଜଟିଳ ରହିଛି, ତଥାପି ସୈନ୍ଧବ ଲୁଣ ଭଳି ଏକ ଛୋଟ ଜିନିଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଛି ।