ଜାଣନ୍ତୁ ଜଷ୍ଟିସ୍ ସଞ୍ଜୀବ ଖନ୍ନା କିଏ, ଯିଏ ସୋମବାର ୫୧ତମ CJI ଭାବେ ନେବେ ଶପଥ

Published By : Prameya-News7 Bureau | November 10, 2024 IST

ନୂଆଦିଲ୍ଲୀ ୧୦।୧୧: ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କୁ ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ରୂପେ ଶପଥ ଦିଆଯିବ। ଦିଲ୍ଲୀର ବାସିନ୍ଦା ତଥା ଦିଲ୍ଲୀରେ ଶିକ୍ଷା ପ୍ରାପ୍ତ ସଞ୍ଜୀବ ଖନ୍ନାଙ୍କ ଜନ୍ମ ୧୪ ମେ୧୯୬୦ରେ ହୋଇଥିଲା। ତାଙ୍କ ପିତା ଜଷ୍ଟିସ୍ ଦେଶରାଜ ଖନ୍ନା ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଥିଲେ। ତାଙ୍କ ମା ଶ୍ରୀମତୀ ସରୋଜ ଖନ୍ନା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଲେଡି ଶ୍ରୀରାମ କଲେଜରେ ହିନ୍ଦୀ ଲେକ୍ଚରର ଥିଲେ। 

ଜଷ୍ଟିସ୍ ସଞ୍ଜୀବ ଖନ୍ନା ତାଙ୍କ ସ୍କୁଲ ଶିକ୍ଷା ଦିଲ୍ଲୀ ମଡର୍ଣ୍ଣ ସ୍କୁଲରୁ ଆରମ୍ଭ କରିଥିଲେ ଓ ଏହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଲ ସେଣ୍ଟର (ସିଏଲସି)ରୁ ଆଇନ ଶିକ୍ଷା ପୁରା କରିଥିଲେ। ସେ ୧୯୮୩ ମସିହାରେ ଦିଲ୍ଲୀ ବାର କାଉନସିଲରେ ଓକିଲ ରୂପେ ନିଜକୁ ପଞ୍ଜିକୃତ କରିଥିଲେ। ପ୍ରାରମ୍ଭରେ ସେ ତିଶହଜାରୀ କୋର୍ଟରୁ କ୍ୟାରିୟର ଆରମ୍ଭ କରିଥିବା ଖନ୍ନା ଦିଲ୍ଲୀ ହାଇକୋର୍ଟରେ ସାମ୍ବିଧାନିକ ଆଇନ, ଡାଇରେକ୍ଟ ଟ୍ୟାକ୍ସେସନ ଓ ମଧ୍ୟସ୍ଥତା ଭଳି କ୍ଷେତ୍ରରେ ଗଭୀର ଅଭିଜ୍ଞତା ପ୍ରାପ୍ତ କରିଥିଲେ। 

କମର୍ସିଆଲ ଲ, କମ୍ପାନୀ ଲ, ଏନଭାରନମେଣ୍ଟ ଲ ଓ ଚିକିତ୍ସାରେ ଅବହେଳା ଆଇନରେ ଖନ୍ନାଙ୍କର ବିଶେଷଜ୍ଞତା ରହିଛି। ତାଙ୍କ ଦୀର୍ଘ କ୍ୟାରିୟରରେ ଆୟକର ବିଭାଗର ବରିଷ୍ଠ ସ୍ଥାୟୀ ଓକିଲ ରୂପେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ଦିଲ୍ଲୀ ହାଇକୋର୍ଟରେ ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟର ରୂପେ ମଧ୍ୟ ସେବା ଦେଇଛନ୍ତି। ୨୦୦୫ ମସିହାରେ ଜଷ୍ଟିସ୍ ଖନ୍ନାଙ୍କୁ ଦିଲ୍ଲୀ ହାଇକୋର୍ଟରେ ଆଡିସନାଲ ଜଜ୍ ରୂପେ ନିଯୁକ୍ତି ମିଳିଥିଲା, ୨୦୦୬ ମସିହାରେ ତାଙ୍କର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲା। 

୧୮ ଜାନୁୟାରୀ ୨୦୧୯ରେ ଜଷ୍ଟିସ୍ ଖନ୍ନାଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ସେ ସୁପ୍ରିମକୋର୍ଟ ଆଇନ ସେବା କମିଟି ଅଧ୍ୟକ୍ଷ ଓ ଜାତୀୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ସେ ଅନେକ ଆଇନଗତ ଦିଗଗୁଡିକରେ ତାଙ୍କର ବିଶେଷଜ୍ଞତା ପ୍ରଦର୍ଶନ କରିଛନ୍ତି। ଜଷ୍ଟିସ୍ ଖନ୍ନା  ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳରେ ଅନେକ ଐତିହାସିକ ରାୟ ଦେଇଛନ୍ତି। ଏଥିରେ ଭିଭିପିଏଟି ସତ୍ୟାପତନ, ନିର୍ବାଚନୀ ବଣ୍ଡ ଯୋଜନା, ଅନୁଚ୍ଛେଦ ୩୭୦ ଉପରେ ଶୁଣାଣି, ଅନୁଚ୍ଛେଦ ୧୪୨ ଅନୁସାରେ ତଲାକ ମାମଲା ଓ ଆରଟିଆଇ ସମ୍ପର୍କିତ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ରହିଛି। ୧୩ ମେ ୨୦୨୫ରେ ଅବସର ନେତା ପୂର୍ବରୁ ସେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.