ମୁମ୍ବାଇ ୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ୧୦ ଦିନ ବିତିଲାଣି, ଏହା ସତ୍ତ୍ୱେ ମହାଯୁତୀ ମେଣ୍ଟ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହିଁ। ରାଜ୍ୟରେ ସରକାର ଗଠନ ଲାଗି ଦିଲ୍ଲୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ନେତାଙ୍କ ଦୌଡ ଜାରି ରହିଛି। ସୂତ୍ର ଅନୁସାରେ ଏହି ପୁରା ଗତିରୋଧର କେନ୍ଦ୍ର ହେଉଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ। ପ୍ରଥମେ ଏକନାଥ ସିନ୍ଦେ ପଦବୀ ଛାଡିବାକୁ ରାଜି ନଥିଲେ, ହେଲେ ଯେତେବେଳେ କଥା ଆଗକୁ ନ ବଢିଲା ସେ ଗୃହମନ୍ତ୍ରାଳୟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ବଦଳେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି ହୋଇଛନ୍ତି।
ହେଲେବି ଏକନାଥ ସିନ୍ଦେ ଏବେ ମହାଯୁତୀ ଆଲୋଚନାରେ ଗତିରୋଧର କାରଣ ହୋଇ ରହିଛନ୍ତି। ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ଦିଲ୍ଲୀରେ ସାକ୍ଷାତ ଆଲୋଚନା ହୋଇଥିଲା ପରେ ସେ ମୁମ୍ବାଇ ପହଞ୍ଚିଥିଲେ ଓ ସିଧା ନିଜ ଗାଁକୁ ଚାଲିଯାଇଥିଲେ। ତେବେ ରବିବାର ଗଣମାଧ୍ୟମ ସହ ଆଲୋଚନାରେ ସେ ପୁଣି ମୁଖ୍ୟମନ୍ତ୍ରୀ ପଦ ଉପରେ ନିଜର ଦାବି ଜାହିର କରିଛନ୍ତି। ହେଲେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଯାହା ବି ନିଷ୍ପତ୍ତି ନେବେ ସେ ଏହାକୁ ସ୍ୱୀକାର କରିବେ। ଏଥିରେ ଏବେ ପ୍ରଶ୍ନ ଉଠୁଛି ଏକନାଥ ସିନ୍ଦେ ଏପରି ବାର୍ଗେନିଂ କେଉଁ ସାହସରେ କରୁଛନ୍ତି?
ମାହାଯୁତୀରେ ବିଜେପି ସବୁଠୁ ବଡ଼ ପାର୍ଟି ଓ ନିର୍ବାଚନରେ ୧୩୨ଟି ଆସନ ହାତେଇଛି। ଏଥିରେ ବିଜେପି ଚାହିଁଲେ ନିମିଷେକରେ ଶିବସେନା (ସିନ୍ଦେ)କୁ ଆଡେଇ ଦେଇ ଏନସିପି(ଅଜିତ)କୁ ସାଙ୍ଗରେ ନେଇ ସରକାର ଗଢିଦେବ। ହେଲେ କଥା କହିବାକୁ ଯେମିତି ସହଜ ଲାଗୁଛି ସେମିତି ସହଜ ନୁହେଁ। କାରଣ ଏକନାଥ ସିନ୍ଦେଙ୍କ ଅସଲି ତାକତ ତାଙ୍କର ୫୭ ଜଣ ବିଧାୟକ ନୁହନ୍ତି, ୭ ଲୋକସଭା ସାଂସଦ, ଯାହା କେନ୍ଦ୍ରରେ ମୋଦି ସରକାରଙ୍କ ସ୍ଥାୟିତ୍ୱର କାରଣ।
ଗତ ଲୋକସଭା ନିର୍ବାଚନରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିନଥିଲା। ବିଜେପିର ୨୪୦ ସାଂସଦ ଅଛନ୍ତି, ତେବେ କେନ୍ଦ୍ରରେ ସରକାର କରିବାକୁ ୨୭୨ ସାଂସଦଙ୍କ ସମର୍ଥନ ଦରକାର। ଏଣୁ ୩୨ ସାଂସଦଙ୍କ ଆବଶ୍ୟକତା ପୂରଣ କରିବାରେ ଶିବସେନା (ସିନ୍ଦେ)ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରର ଏନଡିଏ ସରକାରରେ ବିଜେପି ପରେ ସବୁଠୁ ବଡ଼ ପାର୍ଟି ଆନ୍ଧ୍ରପ୍ରଦେଶର ଟିଡିପି। ଚନ୍ଦ୍ରବାବୁ ନାୟଡୁଙ୍କ ପାର୍ଟିର ୧୬ ଜଣ ସାଂସଦ ଅଛନ୍ତି। ତୃତୀୟ ସ୍ଥାନରେ ଜେଡିୟୁ ଅଛି ଯାହାର ୧୨ ଜଣ ସାଂସଦ ଅଛନ୍ତି। ଏବେ କେନ୍ଦ୍ର ସରକାରରେ ଏନଡିଏର ୨୯୩ ଜଣ ସାଂସଦ ଅଛନ୍ତି।
ଏଥିରେ ଯଦି ଏକନାଥ ସିନ୍ଦେ ଏନଡିଏରୁ ପୃଥକ ହୁଅନ୍ତି ତେବେ କେନ୍ଦ୍ରରେ ସରକାର ଉପରେ କୌଣସି ପ୍ରଭାବ ପଡିବ ନାହିଁ, ହେଲେ ମୋଦି ସରକାର ମନବୈଜ୍ଞାନିକ ଚାପରେ ଆସିଯିବ। ଏଣୁ କେନ୍ଦ୍ରର ବିଜେପି ସରକାର ବିରୋଧୀଙ୍କୁ ଏପରି କୌଣସି ସୁଯୋଗ ଦେବାକୁ ଚାହାନ୍ତିନି ଯେଉଁଥିରୁ ଲାଗିବ ମୋଦି ସରକାର ଦୁର୍ବଳ। ଅନ୍ୟପଟେ ଏକନାଥ ସିନ୍ଦେ ବିଜେପି ସହିତ ଏହି ପ୍ରସଙ୍ଗରେ ମଧ୍ୟ ବାର୍ଗେନିଂ ଚଳାଇଛନ୍ତି। ସେ ଜାଣିଛନ୍ତି ରାଜ୍ୟରେ ବିଜେପିର ସରକାରକୁ ସେ କୌଣସିବି ସ୍ତରରେ ରୋକି ପାରିବେନି, ହେଲେ ନିଜ ସାଂସଦଙ୍କ ବଳରେ ସେ ନିଜ ପାଇଁ ରାଜ୍ୟ ସରକାରରେ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ହାସଲ କରିନେବାକୁ ଚାହୁଁଛନ୍ତି।