ଏଟିଏମ୍‌କୁ ଖାଇଲା ୟୁପିଆଇ, ୫ ବର୍ଷରେ ପ୍ରଥମ ଥର କମିଲା ସଂଖ୍ୟା

Published By : Prameya-News7 Bureau | December 04, 2024 IST

ନୂଆଦିଲ୍ଲୀ ୦୪/୧୨: ଏଟିଏମ୍‌କୁ ଖାଇଗଲାଣି ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟର୍‌ଫେସ୍‌ (ୟୁପିଆଇ) । ସାମାନ୍ୟ ଜିନିଷଟିଏ କିଣିବାକୁ ଗଲେ ଲୋକେ ଫୋନ୍‌ପେ’, ଗୁଗୁଲ୍‌ ପେ’, ପେଟିଏମ୍‌ ଏବଂ ଆମାଜନ୍‌ ପେ’ ଆଦି ୟୁଜ୍ କରୁଥିବା ଦେଖିବାକୁ ମିଳୁଛି । ଚା’ ପିଇ ୧୦ ଟଙ୍କାର ପେମେଣ୍ଟ ବି ୟୁପିଆଇ ଜରିଆରେ କରୁଛନ୍ତି ଲୋକେ । ଫୋନ୍‌ରେ ପେମେଣ୍ଟ ହୋଇଯାଉଛି । 

ଆଉ ଏଟିଏମ୍‌ ଯାଇ ଟଙ୍କା ଉଠାଇବାର ଆବଶ୍ୟକତା ନାହିଁ । ୟୁପିଆଇର ପ୍ରସାର ଫଳରେ ବର୍ତ୍ତମାନ ଏଟିଏମ୍‌ ସଂଖ୍ୟା ହ୍ରାସ ପାଉଛି । ତେବେ ୫ ବର୍ଷରେ ପ୍ରଥମ ଥର ଦେଶରେ ଏଟିଏମ୍‌ ସଂଖ୍ୟା କମିଥିବା ଜଣାପଡ଼ିଛି । କେନ୍ଦ୍ର ସରକାର ସୋମବାର ସଂସଦରେ ଏ ସୂଚନା ଦେଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି ମହାନଗର ଏବଂ ସହର ସହିତ ଗ୍ରାମାଞ୍ଚଳରେ ବି ଏଟିଏମ୍‌ ସଂଖ୍ୟାରେ ହ୍ରାସ ଘଟିଛି । ୨୦୨୪ ସେପ୍ଟେମ୍ବର ଶେଷରେ ଦେଶରେ ଏଟିଏମ୍‌ ସଂଖ୍ୟା ୨,୫୫,୦୭୮ ରହିଛି, ଯାହାକି ବର୍ଷେ ତଳେ ୨,୫୭,୯୪୦ ଥିଲା । 

ଏଭଳି ଭାବେ ଏ ସଂଖ୍ୟାରେ ୧%ରୁ ସାମାନ୍ୟ ଅଧିକ ହ୍ରାସ ଦେଖିବାକୁ ମିଳିଛି । ସବୁଠୁ ଅଧିକ ୨.୨% ହ୍ରାସ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି । ସେପ୍ଟେମ୍ବର ଶେଷରେ ଗ୍ରାମାଞ୍ଚଳରେ ଏଟିଏମ୍‌ ସଂଖ୍ୟା ହ୍ରାସ ପାଇ ୫୪,୧୮୬କୁ ଖସିଆସିଛି । ସଂସଦରେ ଜାରି ଆର୍‌ବିଆଇ ତଥ୍ୟରୁ ଜଣାପଡ଼ିଛି ଯେ, ଏହି ଅବଧିରେ ମହାନଗରରେ ଏଟିଏମ୍‌ ସଂଖ୍ୟାରେ ୧.୬% ହ୍ରାସ ଘଟି ୬୭,୨୨୪କୁ ଖସିଆସିଛି । 

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଲେ ଯେ, ସରକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ବ୍ୟାଙ୍କଗୁଡ଼ିକ ଏଟିଏମ୍‌ ବନ୍ଦ କରିବାର ବିଭିନ୍ନ କାରଣ ରହିଛି । ବ୍ୟାଙ୍କଗୁଡ଼ିକର ମିଶ୍ରଣ, ବ୍ୟବସାୟିକ ଦୃଷ୍ଟିକୋଣରୁ ଉପଯୋଗିତା ହ୍ରାସ, ଏଟିଏମ୍‌ ସ୍ଥାନାନ୍ତର ଆଦି ଏଥିମଧ୍ୟରେ ସାମିଲ ରହିଛି । ବ୍ୟାଙ୍କର୍‌ମାନଙ୍କ କହିବାନୁସାରେ, ପେମେଣ୍ଟ୍‌ ଟୁଲ୍‌ ଭାବେ ୟୁପିଆଇ ଏବଂ କାର୍ଡର ବହୁଳ ବ୍ୟବହାର ଦ୍ୱାରା ନଗଦ ବ୍ୟବହାର କମୁଛି । ଫଳରେ ଏଟିଏମ୍‌ ଅବ୍ୟବହାରିକ ହୋଇଗଲାଣି । 

ଉପଭୋକ୍ତା ପନିପରିବାଠାରୁ ଆରମ୍ଭ କରି କ୍ୟାବ୍‌ ସେବା ଏବଂ ଏପରିକି ମହଙ୍ଗା ଜିନିଷ କିଣିବା ପାଇଁ ବି ୟୁପିଆଇ ବ୍ୟବହାର କରୁଛନ୍ତି । ଚୌଧୁରୀ କହିଛନ୍ତି ଯେ, ଗତ ୯ ବର୍ଷରେ ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ ପେମେଣ୍ଟରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି । ଜନଧନ ଯୋଜନା, ୟୁପିଆଇର ପ୍ରସାର ଏବଂ ମୋବାଇଲ ଇଣ୍ଟର୍‌ନେଟ୍‌କୁ ବ୍ୟାପକ ଭାବେ ଗ୍ରହଣ କରାଯିବା ଦ୍ୱାରା ଏହା ହୋଇଛି । 

ଗତ ୫ ବର୍ଷରେ ୟୁପିଆଇ ଟ୍ରାଞ୍ଜାକ୍‌ସନ୍‌ରେ ୨୫ ଗୁଣା ବୃଦ୍ଧି ଘଟିଛି । ଆର୍ଥିକବର୍ଷ ୨୦୧୮-୧୯ରେ ଏହା ୫୩୫ କୋଟି ଥିଲା, ଯାହା ଆର୍ଥିକବର୍ଷ ୨୦୨୩- ୨୪ରେ ୧୩,୧୧୩ କୋଟି ହୋଇଛି । ଆର୍ଥିକବର୍ଷ ୨୦୨୪-୨୫(ସେପ୍ଟେମ୍ବର ପର୍ଯ୍ୟନ୍ତ)ରେ ୧୨୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୮,୫୬୬ କୋଟିରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍‌ସନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.