ବିଶ୍ୱକପ୍‌ ଫାଇନାଲ୨୦୨୩; ବିସିସିଆଇର ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସମ୍ମାନିତ ହେବେ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍‌, ଧୋନୀ ଓ କପିଲ ହେବେ ସାମିଲ୍

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ଆସନ୍ତାକାଲି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଆଇସିସି ଓ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଛି। ଫାଇନାଲ୍ ମ୍ୟାଚ୍‌ ଦେଖିବାକୁ ଉଭୟ ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତି ପାଭିଲିୟନ୍‌ରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମ୍ୟାଚ୍ ଦେଖିବେ।

ମ୍ୟାଚ୍ ପୂର୍ବରୁ ମନରୋଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥିପାଇଁ ବଲିଉଡ୍‌ଷ୍ଟାର୍‌ମାନଙ୍କ ତାଲିକା ପ୍ରକାଶ କରି ସାରିଛି ବିସିସିଆଇ। ସବୁଠାରୁ ବଡ଼ କଥା ହେଲା ଆସନ୍ତାକାଲିର ଫାଇନାଲ୍‌ ମ୍ୟାଚ୍‌ରେ ବିଭିନ୍ନ ଦେଶର ସମସ୍ତ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍‌ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ। ଏନେଇ ବିସିସିଆଇ ଯୋଜନା ପ୍ରସ୍ତୁତ କରିଛନ୍ତି।

ଏହି କ୍ୟାପ୍ଟେନ୍‌ମାନେ ଆସନ୍ତାକାଲିର ମ୍ୟାଚ୍ ଦେଖିବେ। ଗୋଟିଏ ଇନିଂସ ଖେଳ ସରିବା ପରେ କ୍ୟାପ୍ଟେନ୍‌ମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଆରମ୍ଭ ହେବ। ଭାରତ ପକ୍ଷରୁ କପିଲ ଦେବ ଓ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ସମ୍ମାନିତ ହେବ। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ୍ ରିକି ପଣ୍ଟିଂ, ୱେଷ୍ଟ ଇଣ୍ଡିଜ୍‌ର କ୍ଲାଇ ଲଏଡ, ଅଲ୍ଲାନ ବର୍ଡର, ଇଅନ ମୋର୍‌ଗାନ, ଏବଂ ଅର୍ଜୁନ ରଣତୁଙ୍ଗାଙ୍କୁ ଆସନ୍ତାକାଲି ସମ୍ମାନିତ କରାଯିବ।

ପଢ଼ନ୍ତୁ-ଭାରତୀୟ ଦ୍ରୁତ ବୋଲର ଶାମିଙ୍କ ଗାଁରେ ହେବ ମିନି ଷ୍ଟାଡିୟମ୍‌ ଓ ଜିମ୍‌ନାଜିୟମ୍‌; ଗାଁ ପରିଦର୍ଶନ କଲେ ଡିଏମ୍‌

ବିସିସିଆଇର ଷ୍ଟାର୍ ଆଙ୍କରମାନଙ୍କ ସହ କ୍ୟାପ୍ଟେନ୍‌ମାନଙ୍କର ଏକ ଛୋଟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବି ରହିଛି। ଏହାପରେ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍‌ମାନେ ଖେଳାଳିମାନଙ୍କୁ ଭିଡିଓ ବାର୍ତ୍ତା ମଧ୍ୟ ଦେବେ।

ମ୍ୟାଚ୍ ସମ୍ପର୍କରେ ସଂକ୍ଷେପରେ

ଆସନ୍ତାକାଲି(ନଭେମ୍ବର ୧୯) ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହାମୁକାବିଲା ହେବ। ପୂର୍ବରୁ ଅଷ୍ଟ୍ରେଲିଆ ୮ ଥର ବିଶ୍ୱକପ୍ ଫାଇନାଲ୍ ଖେଳିଥିବା ବେଳେ ୫ ଥର ଟାଇଟଲ ଜିତିଛି। ଅନ୍ୟପଟେ ଭାରତ ୪ ଥର ଫାଇନାଲ୍‌ ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଦୁଇଥର ବିଶ୍ୱକପ୍‌ ଜିତିଛି।

ତେବେ ଚଳିତ ବିଶ୍ୱକପ୍‌ରେ ଦୁଇ ଟିମ୍‌ର ଖେଳକୁ ଦେଖିଲେ ଭାରତର ପାଲ୍ଲା ଭାରି ରହିଛି। ଭାରତ ୧୦ଟି ମ୍ୟାଚ୍ ଖେଳି ୧୦ଟି ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଦୁଇଟିରେ ପରାଜିତ ହୋଇଛି।  

ଭାରତ କପିଲ ଦେବଙ୍କ ସମୟରେ ୧୯୮୩ରେ ବିଶ୍ୱକପ୍ ଜିତିଥିବା ବେଳେ ଧୋନୀଙ୍କ ଅଧିନାୟିକତ୍ୱରେ ୨୦୧୧ ବିଶ୍ୱକପ୍ ଜିତିଥିଲା ଭାରତ। ଅନ୍ୟପଟେ ଅଷ୍ଟ୍ରେଲିଆ ସର୍ବାଧିକ ବିଶ୍ୱକପ୍ ଜିତିବାର ରେକର୍ଡ କରିଛି। ଅଷ୍ଟ୍ରେଲିଆ ୧୯୮୭,୧୯୯୯,୨୦୦୩,୨୦୦୭,ଏବଂ ୨୦୧୫ରେ ବିଶ୍ୱକପ୍ ଜିତିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.