ଆଡିଲେଡ୍ ଟେଷ୍ଟରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ଝଟ୍‌କା, ବଦଳିଲା WTC ସମୀକରଣ

Published By : Prameya-News7 Bureau | December 09, 2024 IST

ନୂଆଦିଲ୍ଲୀ ୦୯/୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଡିଲେଡ୍ ଓଭାଲରେ ଖେଳାଯାଇଥିଲା । ପିଙ୍କ ବଲରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳକୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । କହିବାକୁ ଗଲେ ଜିତିବା ପାଇଁ ଆୟୋଜକ ଦଳକୁ ୧୯ ରନ୍ ଲକ୍ଷ୍ୟ ଥିଲା । ଯାହାକି ଏହା ଆରାମଦାୟକ ଭାବରେ ହାସଲ କରିଥିଲା । ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ୧୪ ଡିସେମ୍ବର (ଶନିବାର) ରୁ ବ୍ରିସବେନର ଗାବା ଗ୍ରାଉଣ୍ଡରେ ଖେଳାଯିବ । 

ସେପଟେ ଆଡିଲେଡ୍ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳକୁ ଲାଗିବାକୁ ଯାଉଛି ବଡ ଝଟକା । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ପଏଣ୍ଟ ଟେବୁଲରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ଭାରତୀୟ ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଶୀର୍ଷରେ ଥିଲା । କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଏହାକୁ କାଟିଦେଇଛି । ତେବେ ଟିମ୍ ଅଷ୍ଟ୍ରେଲିଆ ଏହି ବିଜୟ ପରେ ପ୍ରଥମ ସ୍ଥାନକୁ ଆସିଛି । 

ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୯ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ୧୪ଟି ମ୍ୟାଚରୁ ୧୦୨ପଏଣ୍ଟ ପାଇଛି । ମୋଟ ଅଙ୍କ ୬୦.୭୧ ପ୍ରତିଶତ ଅଟେ । ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୯ଟି ମ୍ୟାଚରୁ ୬୪ ପଏଣ୍ଟ ପାଇ ୫ ବିଜୟ, ୩ ପରାଜୟ ଏବଂ ଗୋଟିଏ ମ୍ୟାଚ୍ ଡ୍ର ରଖିଥିଲା । ଯାହା ବର୍ତ୍ତମାନ ଭାରତଠାରୁ ଅଧିକ । 

ଭାରତୀୟ ଦଳ ୧୬ ଟି ମ୍ୟାଚରୁ ୯ଟି ବିଜୟ, ୬ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ୧୧୦ ପଏଣ୍ଟ ପାଇଛି । ଟିମ୍‌ର ମୋଟ ଅଙ୍କ ବର୍ତ୍ତମାନ ୫୭.୨୯କୁ ଖସି ଆସିଛି । ଭାରତକୁ ବର୍ତ୍ତମାନ ଆଉ ୩ଟି ମ୍ୟାଚ୍ ଖେଳିବାକୁ ପଡିବ, ଯାହା କେବଳ ଅଷ୍ଟ୍ରେଲିଆ ବିପକ୍ଷରେ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଚତୁର୍ଥ ସ୍ଥାନରେ, ଇଂଲଣ୍ଡ ପଞ୍ଚମ ସ୍ଥାନରେ ଏବଂ ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ରହିଛି । 

ପାକିସ୍ତାନ ସପ୍ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ଅଷ୍ଟମ ସ୍ଥାନରେ ଏବଂ ୱେଷ୍ଟଇଣ୍ଡିଜ୍ ନବମ ସ୍ଥାନରେ ରହିଛି । ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ପାକିସ୍ଥାନ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ଫାଇନାଲ ପାଇଁ ଦୌଡ଼ରୁ ସମ୍ପୂର୍ଣ୍ଣ ବାହାରେ ଅଛନ୍ତି। ଅର୍ଥାତ୍ ଫାଇନାଲ୍ ଦୌଡ଼ରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା କେବଳ ୪ ଦଳ ବାକି ରହିଛନ୍ତି। 

ଆଡିଲେଡ୍ ଟେଷ୍ଟ ଆରମ୍ଭ ପୂର୍ବରୁ ଭାରତୀୟ ଦଳ WTC ଫାଇନାଲରେ ସହଜରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ୩-୦ସିରିଜ୍ ବିଜୟ ଆବଶ୍ୟକ କରିଥିଲା । କିନ୍ତୁ ବର୍ତ୍ତମାନ ସମୀକରଣ ତାଙ୍କ ପାଇଁ ଟିକିଏ କଷ୍ଟସାଧ୍ୟ ହୋଇଛି । ବର୍ତ୍ତମାନ ଫାଇନାଲରେ ସହଜରେ ପହଞ୍ଚିବା ପାଇଁ ଭାରତକୁ ୪-୧ ବ୍ୟବଧାନରେ ସିରିଜ୍ ଜିତିବାକୁ ପଡିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.