ବୌଦ୍ଧ ୧୯/୩: ମିଛ ପରିଚୟରେ ସାକ୍ଷୀ ଦେବା ପଡିଲା ମହଙ୍ଗା । ଜଣେ ଯୁବକଙ୍କୁ ଉଠାଇ ନେଇଛି ପୋଲିସ । ବୌଦ୍ଧ ଜିଲ୍ଲାରୁ ଆସିଛି ଖବର । ଗିରଫ ଅଭିଯୁକ୍ତ ବଢିଗାଁ ଗାଁର ଅକ୍ଷୟ ବେହେରା । ସେ ଏକ ମାମଲାରେ ସନତ ପାଣିଗ୍ରାହୀଙ୍କ ନାଁରେ ଦୌରା ଜଜ୍ଙ୍କ କୋର୍ଟରେ ଜାଲ୍ ପରିଚୟରେ ସାକ୍ଷୀ ଦେଇଥିଲେ । ଅକ୍ଷୟ ନିଜକୁ ସନତ ପାଣିଗ୍ରାହୀ ପରିଚୟ ଦେଇ ସାକ୍ଷୀ ଦେଇଥିଲେ । ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ରିପୋର୍ଟ ପରେ ଅକ୍ଷୟକୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ ।
ତଥ୍ୟ ମୁତାବକ ଗତ ୧୭ ତାରିଖରେ ଏକ ଜାତିଆଣ ମାମଲାର ବିଚାର ପାଇଁ ସନତ ପାଣିଗ୍ରାହୀଙ୍କୁ ନୋଟିସ୍ କରିଥିଲା କୋର୍ଟ । ତେବେ କୋର୍ଟକୁ ସନତ ଯାଇନଥିଲେ । ତାଙ୍କ ସ୍ଥାନରେ ବସ୍ତମପୁର ସ୍ଥିତ ବଢିଗାଁର ଅକ୍ଷୟ ବେହେରା ନିଜକୁ ସନତ ପାଣିଗ୍ରାହୀଙ୍କ ପରିଚୟ ଦେଇ କୋର୍ଟରେ ସାକ୍ଷୀ ଦେଇଥିଲେ ।
ତେବେ ମାନ୍ୟବର କୋର୍ଟ ଏ ସୂଚନା ପାଇବା ପରେ ସିଭିଲ କୋର୍ଟ ରେଜିଷ୍ଟାରଙ୍କୁ ଥାନାରେ ଅଭିଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରେଜିଷ୍ଟାର ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବସ୍ତମପୁର ଗାଁରୁ ଅକ୍ଷୟଙ୍କୁ ଗିରଫ କରିଥିଲା । ତେବେ କେଉଁ କାରଣ ପାଇଁ ଅକ୍ଷୟ ମିଛ ପରିଚୟ ଦେଇ କୋର୍ଟରେ ସାକ୍ଷୀ ଦେଉଥିଲେ ତାର ତଦନ୍ତ ଚାଲିଥିବା କହିଛନ୍ତି ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ।