ପୁରୀ: ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ଜଣେ ଯୁବକକୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛନ୍ତି ଭାସ୍କର ସାମନ୍ତ । ତେବେ ପୋଲିସର ସୂଚନା ଅନୁସାରେ ଆଜି ସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପୋଲିସ ତାଙ୍କୁ ଧରିବା ପରେ ସ୍ପାଏ କ୍ୟାମେରାକୁ ଜବତ କରିଥିଲା । ସ୍ପାଏ କ୍ୟାମେରାରେ ଭାସ୍କର ଶ୍ରୀମନ୍ଦିର ଭିତର ଭିଡିଓ ସୁଟିଂ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।
ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟର ସେକ୍ସନ ୩୦(A) ୪C ଆଧାରରେ ଭାସ୍କରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । ଖୁବଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ଭିତରେ ବାରମ୍ବାର ଭିଡିଓ ଓ ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଏବଂ କ୍ୟାମେରା ନେବା ଉପରେ କଡ଼ା ନଜର ରଖିଛି ପୋଲିସ । ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେଲେ ଏକହଜାର ଟଙ୍କା ଜରିମାନା ସହିତ ମୋବାଇଲ୍ ଫୋନ ଜବତ ହେବାର ନିୟମ ରହିଛି । ତେବେ ଅଭିଯୁକ୍ତ ଭାସ୍କର ସାମନ୍ତ କାହିଁକି ଏବଂ କେଉଁ ପରିସ୍ଥିତିରେ ସ୍ପାଏ କ୍ୟାମେରା ଶ୍ରୀମନ୍ଦିର ଭିତରକୁ ନେଇ ମନ୍ଦିର ଭିତର ଭିଡିଓ ସୁଟିଂ କରିଛନ୍ତି ଓ କ'ଣ ଉଦ୍ଦେଶ୍ୟ ରହିଛି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।