ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ କରିବ ଏଏସଆଇ। ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସେନେଇ କରିବ ଅନୁଧ୍ୟାନ। ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଏହି ଅନୁଧ୍ୟାନ କରାଯିବ। ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ନେଇ ସେବାୟତମାନେ କହିଆସୁଥିବା ବେଳେ ସେ ଦିଗରେ ଯାଞ୍ଚ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଏଏସଆଇର ପଦକ୍ଷେପକୁ ଭକ୍ତ ଓ ସେବାୟତ ସ୍ବାଗତ କରିଛନ୍ତି। ସେପଟେ ସରକାରଙ୍କ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ଯାଞ୍ଚ କରିବ ଏଏସଆଇ। ଏହି ଯାଞ୍ଚ ପ୍ରକ୍ରିୟା ଶେଷ ପରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ମାଟି ତଳେ ଗୁପ୍ତ ସୁଡ଼ଙ୍ଗ ଅଛି କି? ଏନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ଓ ଆଲୋଚନା ଚାଲିଥିବା ବେଳେ ଏହାର ଅନୁଧ୍ୟାନ କରିବ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ- ଏଏସଆଇ। ବୁଧବାର ଏଏସଆଇ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ କରିବ। ରତ୍ନଭଣ୍ଡାର ଭୂମି ତଳେ ସୁଡ଼ଙ୍ଗ ଅଛି କି ନାହିଁ ତାହାର ସନ୍ଧାନ ପାଇଁ ଜିପିଆର ସର୍ଭେ କରିବ ଏଏସଆଇ। ଏଥି ସହିତ କାନ୍ଥଗୁଡ଼ିକର ଲେଜର ସ୍କାନିଂ କରାଯାଇ କାନ୍ଥ ଅପରପାର୍ଶ୍ବରେ କିଛି କୋଠରୀ ଅଛି କି ନାହିଁ ତାର ମଧ୍ୟ ସନ୍ଧାନ କରାଯିବ। ବୁଧବାର ଦିନ ୧ ଟାରୁ ରତ୍ନଭଣ୍ଡାରରେ ଏଏସଆଇ ଅଧିକାରୀ ପ୍ରବେଶ କରି ସମସ୍ତ ଦିଗକୁ କରିବେ ଯାଞ୍ଚ।ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଥିବା ପୂର୍ବ ପୁରୁଷମାନେ କହିଥିବା ବେଳେ ଏଏସଆଇ ରତ୍ନଭଣ୍ଡାରକୁ ଯାଞ୍ଚ କରି ପ୍ରକୃତ ସତ୍ୟ ଉନ୍ମୋଚନ କରିବାକୁ ଭକ୍ତ ଓ ସେବାୟତ କହିଛନ୍ତି।
Also read: ୧୯ରେ ବିଜେପି ସରକାର ଗଠନର ଶହେ ଦିନ ପୂର୍ତ୍ତି, ପୁରୀ ବେଳାଭୂମିରେ ହେବ ଆୟୋଜନ
ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇଥିଲା। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧକ୍ଷତାରେ ରତ୍ନଭଣ୍ଡାର ତଦାରଖ କମିଟି ଗଠନ କରାଯାଇଥିଲା। ଗତ ଜୁଲାଇ ୧୪ରେ ପ୍ରଥମେ ବାହାର ରତ୍ନଭଣ୍ଡାର ଓ ୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାରକୁ ଖଟଶେଜ ଗୃହ ଓ ଚାଙ୍ଗଡ଼ା ଗୃହକୁ ସ୍ଥାନାନ୍ତର କରାଯାଇ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।
ପ୍ରଥମେ ରତ୍ନଭଣ୍ଡାରର ଯାଞ୍ଚ କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ପରେ ରତ୍ନ ଅଳଙ୍କାରର ହେବ ଗଣତି ମଣତି। ୧୮ ତାରିଖରେ ଯାଞ୍ଚ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ସବୁ କାର୍ଯ୍ୟ ଭଲରେ ହେବ ବୋଲି ଆଶା ରଖିଛନ୍ତି ପୁରୀ ଜିଲ୍ଲାପାଳ। ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଅଛି କି ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ଯାଞ୍ଚ ପାଇଁ ଏଏସଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସେପଟେ ଭକ୍ତଙ୍କ ମଧ୍ୟରେ ବି ଉତ୍କଣ୍ଠା ବଢ଼ିବାରେ ଲାଗିଛି।