ଭୁବନେଶ୍ବର ୨୧/୧: କଣାସରେ ଡାଇରିଆକୁ ନେଇ ସ୍ବାସ୍ଥ୍ୟବିଭାଗର ସ୍ପଷ୍ଟୀକରଣ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, କଣାସ ଅଞ୍ଚଳରେ ୭-୮ ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ସେଥିରୁ ଜଣକର ଡାଇରିଆରେ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଅନ୍ୟ ୨ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି ।
କଣାସରେ ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ତାପରେ ଆଖପାଖ ୫ଟି ଗାଁକୁ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ଏହି ଗାଁ ଗୁଡ଼ିକର ୭୧ ଜଣ ସଂକ୍ରମିତ ହେଇଛନ୍ତି । ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଜଣାପଡିଛି । ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ସେ ଅଞ୍ଚଳରେ ଭୁବନେଶ୍ଵରରୁ ୨ଟି ଟିମ ସହ ସ୍ବାସ୍ଥ୍ୟ ବିଭାଗର ମୋଟ ୮ଟି ଟିମ ନିୟୋଜିତ ହୋଇଛନ୍ତି । ନଦୀର ସବୁ ଘାଟକୁ ସୁପର କ୍ଲୋରିନେସନ୍ ବା ବିଶୋଧନ କରାଯାଉଛି । ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଛି ।