ଭୁବନେଶ୍ବର୧୮/୧:ଚଳିତ ବର୍ଷ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ? ସେମାନଙ୍କ ସଂଖ୍ୟା କେତେ ? ଗତବର୍ଷ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ବଢିଛି କି କମିଛି ? ଏସବୁର ଟିକିନିଖି ହିସାବ ପାଇଁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତକାଳୀନ ପକ୍ଷୀ ଗଣନା । ସମସ୍ତ ୫୨ଟି ବନଖଣ୍ଡରେ ଏକକାଳୀନ ଗଣତି ଚାଲିଛି । ଚିଲିକା, ଭିତରକନିକା ଓ ହୀରାକୁଦରେ ସର୍ବାଧିକ ପକ୍ଷୀ ଦେଖିବାକୁ ମିଳେ । ସେଥିପାଇଁ ଏହି ୩ଟି ସ୍ଥାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।
ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍,ହୀରାକୁଦରେ ୩୨ଟି ଟିମ୍,ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୨୫ଟି ଟିମ୍, ବଣାଇ ଡିଭିଜନର ୭ଟି ରେଞ୍ଜରେ ୧୮ଟି ଟିମ୍,କୋରାପୁଟ ବନାଞ୍ଚଳର ୫ଟି ରେଞ୍ଜରେ ୫ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି । ଚିଲିକାରେ ସକାଳୁ ୬ଟାରୁ ଦିନ ୧୨ଟା ଯାଏ ହୋଇଥିବା ପକ୍ଷୀ ଗଣନାରେ ୨୧ଟି ଟିମ୍ ସାମିଲ ହୋଇଥିଲେ ।
ଚିଲିକା ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜ ଟାଙ୍ଗୀ, ବାଲୁଗାଁ,ସାତପଡା,ନୂଆପଡା,ରମ୍ଭା ଏରିଆରେ କେତେ ଅଛନ୍ତି ପକ୍ଷୀ, ଗଣନା କରିଛନ୍ତି ଟିମ୍ । ୧୩୦ ଜଣ ଗଣନାକାରୀଙ୍କୁ ନେଇ ଗଠନ ହୋଇଥିଲା ୨୧ଟି ଟିମ୍ । ଚିଲିକା ଜଳରେ ଓ ସ୍ଥଳ ଭାଗରେ ଥିବା ପକ୍ଷୀଙ୍କର ଗଣନା ପାଇଁ ୧୮ଟି ଡଙ୍ଗା, ବାଇନକୁଲାର ସହ ଅନ୍ୟ ଟେକ୍ନିକାଲ ଯନ୍ତ୍ରାଂଶ ବ୍ୟବହାର କରାଯାଇଥିଲା । ଗଣନା ସମୟରେ ପର୍ଯ୍ୟଟକ ଓ ମାଛଧରା ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇଛି ବନ୍ୟପ୍ରାଣୀ ବିଭାଗ ।
ହୀରାକୁଦ ଜଳଭଣ୍ଡାରରେ ଚାଲିଛି ଶୀତକାଳୀନ ପକ୍ଷୀ ଗଣନା । ସକାଳୁ ୬ଟାରୁ ଆରମ୍ଭ ହୋଇଥିବା ଗଣନା ସଂଧ୍ୟାରେ ସରିବ । ୨୧ଟି ସେକ୍ଟର କରାଯାଇଥିବାବେଳେ ଜଳଭଣ୍ଡାରରେ ୫୩୩ ବର୍ଗ କିଲୋମିଟର ଯାଏ ଗଣନା କରାଯାଉଛି । ସେହିପରି ପାୱାର କେନାଲରେ ୫.୭ ବର୍ଗ କିଲୋମିଟର ଏଥିରେ ସାମିଲ ରହିଛି । ଚଳିତ ଥର ଛତିଶଗଡ ବର୍ଡରର ସୁଖାସୋଢା ଓ ଅନ୍ତରାଡି ଯାଏ ଗଣନା ହେଉଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବା ଆକଳନ କରାଯାଉଛି ।
ପକ୍ଷୀଙ୍କ କଳରବରେ କଂପୁଛି ପାଟଣା ରେଞ୍ଜ । ଖିରେଇଟାଙ୍ଗିରି ସେକ୍ସନ ରାଜନଗର ନିକଟ ବୈତରଣୀ ଚଢେଇକୁଦର ଘାଟ ସହ ଖିଚେଇ ଟାଙ୍ଗିରି ଗାଁର ବଡବନ୍ଧ ଠାରେ ୨ଟି ଟିମ୍ରେ ନିୟୋଜିତ ହୋଇଛନ୍ତି ୧୦ କର୍ମଚାରୀ । ପକ୍ଷୀଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରେଞ୍ଜର ।