ବାନ୍ଦ୍ରା ଷ୍ଟେସନରେ ୫ ଘଣ୍ଟା ରହିବା ପରେ କ'ଣ କରିଥିଲା ଅଭିଯୁକ୍ତ, ସାମ୍ନାକୁ ଆସିଲା ଭିଡିଓ...

Published By : Prameya-News7 Bureau | January 18, 2025 IST

ମୁମ୍ୱାଇ ୧୮/୦୧: ବଢିଚାଲିଛି ରହସ୍ୟ, ହଟୁନି ପରଦା । ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପୋଲିସକୁ ମିଳିନି ସଫଳତା । ସବୁ ଦିଗରୁ ତନାଘନା କରୁଛି ମୁମ୍ୱାଇୁ ପୋଲିସ । ଅଭିନେତାଙ୍କ ଉପରେ ଆକ୍ରମଣର ତିନି ଦିନ ପରେ ମଧ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛି । ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ୩୦ଟି ଦଳ ଗଠନ କରିଛି । ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି । 

ଯେଉଁମାନଙ୍କର ବୟାନ ରେକର୍ଡ ହୋଇଛି ସେମାନଙ୍କ ମଧ୍ୟରେ ଅଧିକାଂଶ ପରିଚିତ ଲୋକ । ଯେଉଁଥିରେ ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ କରୀନା କପୁର ଏବଂ ତାଙ୍କ କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି । ସୈଫ୍ ଅଲ୍ଲୀ ଖାନଙ୍କୁ ଆହତ ଅବସ୍ଥାରେ ସତଗୁରୁ ଶରଣ କୋଠା ବାହାରୁ ଲୀଳାବତୀ ହସ୍ପିଟାଲକୁ ନେଇଯାଇଥିବା ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ମଧ୍ୟ ମୁମ୍ବାଇ ପୋଲିସ ପଚରାଉଚରା କରିଛି ।

ତେବେ ଘଟଣାର ତିନି ଦିନ ପରେ, ଅଭିନେତାଙ୍କୁ ଛୁରୀ ମାରିଥିବା ସନ୍ଦିଗ୍ଧ ଆକ୍ରମଣକାରୀର ଏକ ନୂତନ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକ ଦୋକାନରେ ଇୟରଫୋନ୍ କିଣୁଥିବାର ଦେଖାଯାଉଛି । ସେ ନୀଳ ସାର୍ଟ ପିନ୍ଧିଛନ୍ତି ଏବଂ ତାଙ୍କ ପିଠିରେ ଏକ କଳା ବ୍ୟାଗ ଝୁଲୁଛି । 


ପୂର୍ବରୁ, ମୁମ୍ବାଇ ପୋଲିସ ଆହୁରି କିଛି ସିସିଟିଭି ଫୁଟେଜ୍ ଜାରି କରିଥିଲା । ଏହି ସିସିଟିଭି ଫୁଟେଜଗୁଡ଼ିକ ମଧ୍ୟରୁ ଗୋଟିଏ ସତଗୁରୁ ଶରଣ ବିଲଡିଂର ଷଷ୍ଠ ମହଲାର, ଯେଉଁଥିରେ ସନ୍ଦିଗ୍ଧ ବ୍ୟକ୍ତି ଖାଲି ପାଦରେ ସିଡ଼ି ଚଢ଼ୁଥିବାର ଦେଖାଯାଉଛି। ଅନ୍ୟ ଏକ ସିସିଟିଭି ଫୁଟେଜରେ, ସନ୍ଦିଗ୍ଧ ବ୍ୟକ୍ତି ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଏକ ହଳଦିଆ ସାର୍ଟ ପିନ୍ଧିଥିବା ଦେଖାଯାଇଥିଲା । ସେ ନିରନ୍ତର ସ୍ଥାନ ପରିବର୍ତ୍ତନ କରୁଛି ।

ଘଟଣାର ଗୋଟିଏ ଦିନ ପରେ ଆକ୍ରମଣକାରୀର ପ୍ରଥମ ସିସିଟିଭି ଫୁଟେଜରେ, ସେ ନୀଳ ସାର୍ଟ ପିନ୍ଧିଥିବାର ଦେଖାଯାଇଥିଲା । ଯେତେବେଳେ କି ଘଟଣା ରାତିରେ ସେ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ମୁମ୍ବାଇ ପୋଲିସ କହିଛି ଯେ ଆକ୍ରମଣକାରୀ ସମ୍ଭବତଃ ବାନ୍ଦ୍ରାରୁ ଏକ ଲୋକାଲ୍ ଟ୍ରେନ୍ ନେଇ ମୁମ୍ବାଇର ଅନ୍ୟ କୌଣସି ଅଞ୍ଚଳକୁ ଯାଇଛି ବୋଧେ । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଅନେକ ପୋଲିସ ଟିମ୍ ସହରର ବିଭିନ୍ନ ରେଳ ଷ୍ଟେସନର ସିସିଟିଭି ଫୁଟେଜକୁ ସ୍କାନ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.