ନୂଆଦିଲ୍ଲୀ: ଇତିହାସ ରଚିଛି ଭାରତୀୟ ମହିଳା ଟିମ୍। ଆୟରଲ୍ୟାଣ୍ଡକୁ ୩୦୪ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ରାଜସ୍ଥାନ ରାଜକୋଟରେ ଥିବା ନିରଞ୍ଜନ ଶାହ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ହୋଇଥିଲା। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ଦଳ ଏହି କିର୍ତ୍ତୀମାନ ସ୍ଥାପନ କରିଛି।
ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୪୩୫ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଆୟରଲ୍ୟାଣ୍ଡ ୩୧.୪ ଓଭରରେ ମାତ୍ର ୧୩୧ ରନ୍ କରି ଅଲଆଉଟ ହୋଇ ଯାଇଥିଲା। ଭାରତ ପକ୍ଷରୁ ପ୍ରତୀକା ରାୱଲ୧୫୫ ରନ୍ କରିଥିଲେ।
ତେବେ ଆଜିର ମ୍ୟାଚ୍ରେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି ପ୍ରତୀକା ରାୱଲ। ସେ ଆଜି ସ୍ମୃତି ମନ୍ଧାନାଙ୍କ ସହିତ ଓପନିଂ ବ୍ୟାଟିଂ ଆସିଥିଲେ। ଏବଂ ଏମିତି ରେକର୍ଡ କରିଥିଲେ ଯାହା ପୂର୍ବରୁ ବିଶ୍ୱରେ କୌଣସି ପୁରୁଷ କିମ୍ବା ମହିଳା କ୍ରିକେଟର କରିପାରି ନାହାନ୍ତି।
ପ୍ରତୀକା ତାଙ୍କ ପ୍ରଥମ ୬ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ୪୪୪ ରନ୍ କରିଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏପରି କରିପାରିଛନ୍ତି। ତାଙ୍କ ପୂର୍ବରୁ ନା ପୁରୁଷ ଟିମ୍ ନା ମହିଳା ଟିମ୍, ବିଶ୍ୱର କୌଣସି ବ୍ୟାଟର ପ୍ରଥମ ୬ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ଏତେ ରନ୍ କରିପାରି ନାହାନ୍ତି। ପ୍ରତୀକାଙ୍କ ପଛକୁ ରହିଛନ୍ତି ନେଦରଲ୍ୟାଣ୍ଡ କ୍ରିକେଟର ଟମ କୁପର। ସେ ପ୍ରଥମ ୬ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ୩୯୨ ରନ୍ କରିଥିଲେ।
ଅନ୍ୟପଟେ ମହିଳା କ୍ରିକେଟରେ ପ୍ରଥମ ଛଅ ଇନିଂସରେ ସର୍ବାଧିକ ରନ୍ କରିବାର ରେକର୍ଡ ଥାଇଲ୍ୟାଣ୍ଡର ନଥାଙ୍କନ ଚାନ୍ଥମଙ୍କ ନାମରେ ଥିଲା। ସେ ମାତ୍ର ୩୨୨ ରନ୍ କରିଥିଲେ। ଆଜିର ମ୍ୟାଚ୍ରେ ପ୍ରତୀକା ୧୨୯ ବଲ୍ରେ ୧୫୪ ରନ୍ କରିଥିଲେ। ଏଥିରେ ୨୦ ଟି
ଚୌକା ଏବଂ ଗୋଟିଏ ଛକ୍କା ଥିଲା। ଏଥିସହିତ ସେ ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ କରିଥିବାରେ ମଧ୍ୟ ତୃତୀୟ ଭାରତୀୟ ମହିଳା ବ୍ୟାଟର ହୋଇପାରିଛନ୍ତି। ତୃତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରି ହରମନ ପ୍ରୀତ କୌରଙ୍କୁ ପଛରେ ପକାଇ ଦେଇଛନ୍ତି ପ୍ରତୀକା। ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଭାରତୀୟ ମହିଳା କ୍ରିକେଟରମାନେ ହେଲେ-
୧୮୮ - ଦୀପ୍ତି ଶର୍ମା ବନାମ ଆୟରଲ୍ୟାଣ୍ଡ (ପୋଚେଫଷ୍ଟ୍ରମ) ୨୦୧୭
୧୭୧* - ହରମନପ୍ରୀତ କୌର ବନାମ ଅଷ୍ଟ୍ରେଲିଆ (ଡର୍ବି) ୨୦୧୭
୧୫୪ - ପ୍ରତୀକା ରାୱଲ ବନାମ ଆୟରଲ୍ୟାଣ୍ଡ (ରାଜକୋଟ) ୨୦୨୫
୧୪୩* - ହରମନପ୍ରୀତ କୌର ବନାମ ଇଂଲଣ୍ଡ )କାଣ୍ଟରବରୀ) ୨୦୨୨
୧୩୮* - ଜୟା ଶର୍ମା ବନାମ ପାକିସ୍ତାନ (କରାଚୀ) ୨୦୦୫
ସେପଟେ ମହିଳା ଭାରତୀୟ ଟିମ୍ ଆଜି ୪୩୫ ରନ୍ରେ ସର୍ବାଧିକ ସ୍କୋର କରିବାରେ ସଫଳ ହୋଇଛି। ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ରେ ଭାରତର ଦିନିକିଆ ଇତିହାସରେ ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ୨୦୧୧ରେ ଟିମ୍ ଇଣ୍ଡିଆର ପୁରୁଷ ଟିମ୍ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୫ ୱିକେଟ୍ ହରାଇ ୪୧୮ ରନ୍ କରିଥିଲା।