ମକ୍କା-ମଦୀନାରେ ପ୍ରକୃତିର ପ୍ରକୋପ, ଲଗାଣ ବର୍ଷା ଓ ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ, ଦେଖନ୍ତୁ Video

Published By : Prameya-News7 Bureau | January 08, 2025 IST

ମକ୍କା ୮।୧: ସାଉଦୀ ଆରବର ମକ୍କା ଓ ମଦୀନାରେ ପ୍ରକୋପ କରିଛି ପ୍ରକୃତି। ସୋମବାରଠାରୁ ଆରମ୍ଭ ହୋଇଥିବା ବର୍ଷା ବୁଧବାର ମଧ୍ୟ ଜାରି ରହିଛି। ବର୍ଷା ଯୋଗୁ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ମାତ୍ର କିଛି ଦିନର ବର୍ଷାରେ ହଜାର ହଜାର ବର୍ଷର ମରୁଭୂମି ଏବେ ସବୁଜିମା ପାଲଟିଛି। ଯେଉଁ ସହର କେବେ ବର୍ଷା ମୁନ୍ଦେ ପାଇଁ ଚାତକ ପରି ଆକାଶକୁ ଚାହିଁ ରହୁଥିଲା ସେ ସହର ଏବେ ଭାସୁଛି। ସାଉଦୀ ଆରବର ବଡ଼ବଡ଼ ସହରାଞ୍ଚଳରେ ବନ୍ୟାର ରୌଦ୍ର ରୂପ ଓ ମରୁଭୂମିରେ ସବୁଜ ଘାଷ ଗାଲିଚା ଏବେ ସାରା ବିଶ୍ୱକୁ ଚମତ୍କୃତ କରିଛି। 

ସୋସିଆଲ ମିଡିଆରେ ସାଉଦୀ ସହରାଞ୍ଚଳର ସବୁଜିମା ଓ ବନ୍ୟାର ଛବି ସେୟାର କରାଯାଉଛି। ମକ୍କ-ମଦୀନା ଆସିଥିବା ତୀର୍ଥ ଯାତ୍ରୀ ସେଠାକାର ସବୁଜିମା ଦେଖି ଏବେ ଚକିତ ହେଉଛନ୍ତି। ଇସ୍ଲାମ ଧର୍ମାବଲମ୍ବୀମାନେ ଏପରି ପ୍ରାକୃତିକ ବିପର୍ଯ୍ୟକୁ ପ୍ରଳୟ ସହ ମିସାଇ ଏବେ ଦେଖୁଛନ୍ତି। ୧୪୦୦ ବର୍ଷ ପୂର୍ବେ ପୈଗମ୍ବର ମହମ୍ମଦ ପ୍ରଳୟର ଚେତାବନୀ ଦେଇଥିଲେ। କହିଥିଲେ ସେ ପର୍ଯ୍ୟନ୍ତ ପ୍ରଳୟ ଆସିବନି ଯେଉଁ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ଅସୁମାରୀ ଧନ ନ ହୋଇଛି। 


ସେହିପରି ପୈଗମ୍ବର ସେଦିନର ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଦିନ ଆରବର ମାଟିକୁ ପୁଣି ସବୁଜ ଘାଷ ଫେରି ଆସିବ ସେଦିନ ଜାଣିବ ପ୍ରଳୟ ନିକଟତର ହେଲା। ବିସ୍ତିର୍ଣ୍ଣ ମରୁଭୂମିରେ ପୁଣି ନଦୀ ଝର ଫିଟିବ। ପବିତ୍ର ସହର ଯାହା କେବେ ସବୁଜ ସୁନ୍ଦର ଥିଲା ତାହା ପୁଣି ସବୁଜ ସୁନ୍ଦର ହୋଇଉଠିବ। ଇସ୍ଲାମ ମାନ୍ୟତା ଅନୁସାରେ ଲୋକେ ଏହାକୁ ପ୍ରଳୟର ସଂକେତ ବୋଲି କହୁଛନ୍ତି। ତେବେ ବୈଜ୍ଞାନିକମାନେ କହୁଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁ ଭୀଷଣ ବର୍ଷା ହେଉଥିବା ବେଳେ ପୁଣି ସବୁଜିମା ଫେରି ଆସିଛି। 


ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାରଠାରୁ ମକ୍କା,ରିୟାଦ, ଜେଦ୍ଦା ଓ ମଦୀନା ଭଳି ବଡ଼ ବଡ଼ ସହରାଞ୍ଚଳରେ ମୁଶଳଧାର ବର୍ଷା ଲାଗି ରହିଛି। ରିୟାଦ, ମକ୍କା, ଅଲ-ବାହା ଓ ତବୁକ କ୍ଷେତ୍ରର ପାଗ ଏବେ ଖରାପ ରହିଛି।  ମଦୀନାରେ ଭୀଷଣ ବର୍ଷା ଓ ବନ୍ୟା ଯୋଗୁ ବ୍ୟବଧାନ ଆସିଯାଇଛି। ସାଉଦୀ ଆରବର ବଡ଼ ସହରାଞ୍ଚଳରେ ବର୍ଷା ଓ ତତଜନିତ ବନ୍ୟା ଯୋଗୁ ମରୁଭୂମି ଅଞ୍ଚଳ ଏବେ ସବୁଜିମାରେ ଭରି ଯାଇଛି। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.