G-୭ ଦେଶଙ୍କୁ ଚେତାବନୀ ଦେଲା କାନାଡା, ମନ୍ତ୍ରୀ କହିଲେ- ଟ୍ରମ୍ପଙ୍କ ଶାସନରେ କେହି ନୁହନ୍ତି ସୁରକ୍ଷିତ

Published By : Prameya-News7 Bureau | March 13, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଆକ୍ସନ ଓ ୫୧ତମ ରାଜ୍ୟ ଭାବେ କାନାଡାକୁ ସାମିଲ କରିବା ନେଇ ଚେତାବନୀ ଦେଉଛନ୍ତି । ଏହାରି ଭିତରେ ଜି-୭ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକ କାନାଡାର କ୍ୟୁବେକ୍ ପ୍ରାନ୍ତର ସହ ଲା ମାଲୱେରେ ହେବାକୁ ଯାଉଛି । ଏଥିରେ ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକାର ବିଦେଶ ମନ୍ତ୍ରୀ ସାମିଲ ହେବେ । ୟୁକ୍ରେନରେ ୩୦ ଦିନିଆ ଯୁଦ୍ଧବିରତି ଉପରେ ଆଲୋଚନା ହେବାର ଅନୁମାନ କରାଯାଉଛି । 

ଏହାରି ଭିତରେ କାନାଡା ବିଦେଶ ମନ୍ତ୍ରୀ ମେଲାନୀ ଜୋଲି ଜି-୭ର ନିଜ ସମକକ୍ଷଙ୍କୁ ସ୍ୱାଗତ ଜଣାଇ ବଡ଼ ଚେତାବନୀ ବି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଆମେରିକା ଆମ ସହ, ନିଜର ସବୁଠୁ ଘନିଷ୍ଠ ବନ୍ଧୁ ସହ ଏପରି କରିପାରେ, ତେବେ ପରିବର୍ତ୍ତିତ ମାହୋଲରେ କେହି ବି ସୁରକ୍ଷିତ ନାହାନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଟ୍ରମ୍ପଙ୍କ ଶାସନରେ କେହି ସୁରକ୍ଷିତ ନାହାନ୍ତି । ସେ ଏହା ବି କହିଛନ୍ତି ଯେ ଆଜି ଆମର ତ, ଆସନ୍ତାକାଲି ଆପଣଙ୍କ ପାଳି ପଡ଼ିବ । କାନାଡା ବିଦେଶ ମନ୍ତ୍ରୀଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ଦୁଇ ଦେଶ ଟାରିଫ୍ ଓ ଟ୍ରେଡ୍ ୱାରରେ ଭୟଙ୍କର ଭାବେ ସଂଘର୍ଷ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ଷ୍ଟିଲ୍ ଓ ଆଲୁମିନିୟମ ଆମଦାନୀ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ଉପରେ କାନାଡା ଓ ୟୁରୋପୀୟ ସଂଘ ମଧ୍ୟ ପାଲଟା ଜବାବ ଦେଇଛନ୍ତି । ଯେଉଁଥି ପାଇଁ ଉତ୍ତେଜନା ଚରମରେ ପହଞ୍ଚିଛି । କାନାଡା ଓ ୟୁରୋପୀୟ ସଂଘ ପଲଟା କାର୍ଯ୍ୟାନୁଷ୍ଠାନରେ କପଡ଼ା ଓ ୱାଟର ହିଟର୍‌ରୁ ଆରମ୍ଭ କରି ବିଫ୍ ଓ ବର୍ବନ ସମେତ ଅନେକ ଆମେରିକୀୟ ଉତ୍ପାଦନ ଉପରେ ନୂଆ ଟିକସ୍ ଲଗାଇଛି ।

ଅନ୍ୟପଟେ ଦୁନିଆରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଉପରେ ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟରେସ୍ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କଥିତ ରୂପେ ଆରମ୍ଭ କରାଯାଇଥିବା ବ୍ୟବସାୟ ଯୁଦ୍ଧ ଉପରେ ଚେତାବନୀ ଦେଇଛନ୍ତି ଯେ ଦେଶ ବାଣିଜ୍ୟ ଯୁଦ୍ଧ କଲେ ସମସ୍ତଙ୍କୁ କ୍ଷତି ସହିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.