ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନା ସରକାର ଯିବା ପରେ ମାଳଦ୍ୱୀପ ପରି ଭାରତ ହାତରୁ ଆଉ ଏକ ମିତ୍ର ରାଷ୍ଟ୍ର ଖସି ଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ସେଠି ଏବେ ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ଖାଲିଦା ଜିଆଙ୍କ ସରକାର ଆସିପାରେ। ଯଦି ଏପରି ହେଲା ତେବେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଉପରେ ପ୍ରଭାବ ପଡ଼ିପାରେ। ତେବେ ବାଂଲାଦେଶ ଏଥିରେ ଅଧିକା ପ୍ରଭାବିତ ହୋଇପାରେ। କାରଣ ଭାରତ ବାଂଲାଦେଶକୁ କପା, ଯନ୍ତ୍ରପାତି ଏବଂ ଖାଦ୍ୟ ପଦାର୍ଥ ସମେତ ଅନେକ ସାମଗ୍ରୀ ରପ୍ତାନି କରେ।ବଦଳରେ ବାଂଲାଦେଶ ଠାରୁ ଝୋଟ ଏବଂ ମାଛ ଆମଦାନି କରେ।
ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ବାଣିଜ୍ୟ ଉପରେ ନଜର ପକାଇଲେ Ibef.org ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବାଂଲାଦେଶ ଭାରତର ଏକ ବଡ଼ ଟ୍ରେଡିଂ ପାର୍ଟନର ଓ ଦ୍ୱିତୀୟ ସର୍ବାଧିକ ଏକ୍ସପୋର୍ଟ ପାର୍ଟନର। ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ମୋଟ ୧୪.୨୨ ବିଲିୟନ ଡଲାର ବାଣିଜ୍ୟ ହୋଇଥିଲା। ଆର୍ଥିକ ବର୍ଷ ୨୦୨୩ରେ ଭାରତ ବାଂଲାଦେଶ ପାଇଁ ୬,୦୫୨ ସାମଗ୍ରୀ ରପ୍ତାନୀ କରିଥିଲା। ଯାହାର ମୂଲ୍ୟ ୧୨.୨୦ ଆରବ ଡଲାର ରହିଥିଲା। ଯାହା ୨୦୨୨ରେ ହୋଇଥିବା ୧୬.୧୫ ଆରବ ଡଲାର ଠାରୁ କମ ଥିଲା। ସେହିପରି ବାଂଲାଦେଶରୁ ଭାରତ ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୪ ସାମଗ୍ରୀ ଆମଦାନୀ କରିଥିଲା। ଏହା ପାଖାପାଖି ୨.୦୨ ଆରବ ଡଲାର ଥିଲା। ଯାହା ୨୦୨୨ ଆର୍ଥିକ ବର୍ଷରେ ୧.୯୭ ଆରବ ଡଲାର ଠାରୁ ଅଧିକ ଥିଲା।
୨୦୨୩ ଆର୍ଥିକ ବର୍ଷରେ ଭାରତ ବାଂଲାଦେଶକୁ ଏହି ସବୁ ସାମଗ୍ରୀ ରପ୍ତାନୀ କରିଥିଲା?
କପା ସୁତା(୧.୦୨ ଆରବ ଡଲାର)
ପେଟ୍ରୋଲିୟମ ଉତ୍ପାଦ(୮୧୬ ମିଲିଅନ ଡଲାର)
ଖାଦ୍ୟ ଶସ୍ୟ(୫୫୬ ମିଲିଅନ ଡଲାର)
ସୂତା କପଡ଼ା ଓ ଅନ୍ୟ ସାମଗ୍ରୀ(୫୪୧ ମିଲିଅନ ଡଲାର)
କାର୍ବନ ଓ ଅଣକାର୍ବନ ରାସୟନ(୪୩୦ ମିଲିୟନ ଡଲାର)
୨୦୨୩ରେ ବାଂଲାଦେଶରୁ ଭାରତ ଆସିଥିବା ପ୍ରମୁଖ ବସ୍ତୁ
ଆରଏମଜି କପା(୫୧୦ ମିଲିଅନ ଡଲାର)
ସୂତା କପଡ଼ା, ମେଡ-ଅପ(୧୫୩ ମିଲିଅନ ଡଲାର)
ଆରଏମଜି ମାନବ ନିର୍ମିତ ଫାଇବର(୧୪୨ ମିଲିୟନ ଡଲାର)
ମସଲା(୧୨୫ ମିଲିଅନ ଡଲାର)
ଝୋଟ(୧୦୩ ମିଲିଅନ ଡଲାର)
ଏହିସବୁ କ୍ଷେତ୍ରରେ ବି ହେଉଥିଲା ବେପାର
ଦକ୍ଷିଣ ଏସିଆରେ ବାଂଲାଦେଶ ମଧ୍ୟ ଭାରତର ସବୁଠାରୁ ବଡ ଟ୍ରେଡ୍ ପାର୍ଟନର। ଶକ୍ତି, ବାଣିଜ୍ୟ, ମୌଳିକ ଭିତ୍ତିଭୂମି, କନେକ୍ଟିଭିଟି, ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ବାଂଲାଦେଶ ମଧ୍ୟ ବାଣିଜ୍ୟିକ ଭାଗିଦାରିତା ରହିଛି। ଗତ ଦଶନ୍ଧିରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଛି। ଏହା ସହିତ ବାଂଲାଦେଶ ଦକ୍ଷିଣ ଏସିଆର ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାରୀ ହୋଇପାରିଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୨୦୨୦-୨୧ରେ ରେ ୧୦.୮ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ୨୦୨୧-୨୦୨୨ ବର୍ଷରେ ୧୮ ବିଲିୟନ ଡଲାରରେ ପହଞ୍ଚିଥିଲା।
ବାଂଲାଦେଶକୁ ଗହମ ଓ କପା ସୂତା ପଠାଇଥିଲା ଭାରତ
ଶକ୍ତି କ୍ଷେତ୍ରରେ ବାଂଲାଦେଶ ଭାରତର ଏକ ପ୍ରମୁଖ ସହଯୋଗୀ। ବାଂଲାଦେଶ ଭାରତ ଠାରୁ ପ୍ରାୟ ୨,୦୦୦ ମେଗାୱାଟ ବିଦ୍ୟୁତ୍ ଆମଦାନୀ କରୁଛି। ଏହା ବ୍ୟତୀତ ଭାରତରୁ ବାଂଲାଦେଶକୁ ରପ୍ତାନି ହେଉଥିବା ସାମଗ୍ରୀ ତାଲିକାରେ କପା ଏବଂ ସୂତା ବର୍ଜ୍ୟବସ୍ତୁ ରହିଛି। ୨୦୨୧-୨୨ ମସିହାରେ, ୧୬୪ କୋଟିରୁ ଅଧିକ ମୂଲ୍ୟର କପା ଏବଂ ସୂତା ବର୍ଜ୍ୟବସ୍ତୁ ରପ୍ତାନି ହୋଇଥିଲା। ସେହି ବର୍ଷ ଭାରତ ବାଂଲାଦେଶକୁ ୧୧୯ କୋଟି ଡଲାରରୁ ଅଧିକ ମୂଲ୍ୟର ଗହମ ରପ୍ତାନି କରିଥିଲା। ୨୦୨୧-୨୨ ମସିହାରେ ଭାରତ ୬୧ କୋଟି ଡଲାରରୁ ଅଧିକ ଚାଉଳ, ୫୬୦ କୋଟି ଡଲାରରୁ ଅଧିକ ଚିନି ଏବଂ ୪୩୦ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ଅନ୍ୟ ଶସ୍ୟ ରପ୍ତାନି କରିଥିଲା। ଏହା ବ୍ୟତୀତ ସବୁଜ ପନିପରିବା, ଫଳ ସହିତ ମସଲା ଏବଂ ଖାଇବା ତେଲ ମଧ୍ୟ ଭାରତରୁ ବାଂଲାଦେଶକୁ ରପ୍ତାନି ହୁଏ।
ଜୋତା, ପର୍ସ, ବ୍ୟାଗ ବାଂଲାଦେଶରୁ ଆମଦାନୀ ହୋଇଥାଏ
ବାଂଲାଦେଶ ଭାରତକୁ ୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରୁଛି। ଭାରତ ବାଂଲାଦେଶରୁ ବସ୍ତ୍ର, ରେଡି ମେଟ ବସ୍ତ୍ର ଏବଂ ବୁଣା ବସ୍ତ୍ର, ଝୋଠ ଏବଂ ଝୋଟ ତିଆରି ସାମଗ୍ରୀ, ଚମଡ଼ା ସାମଗ୍ରୀ ବିଶେଷତ କରି ଜୋତା, ବ୍ୟାଗ ଏବଂ ପର୍ସ ଇତ୍ୟାଦି ଆମଦାନୀ କରିଥାଏ। ଏହା ବ୍ୟତୀତ, ବାଂଲାଦେଶ ଜେନେରିକ୍ ଔଷଧ ଏବଂ ଫାର୍ମାସ୍ୟୁଟିକାଲ୍ ଉତ୍ପାଦର ମୁଖ୍ୟ ରପ୍ତାନିକାରୀ ହୋଇପାରିଥିଲା। ଭାରତ ମଧ୍ୟ ବାଂଲାଦେଶରୁ ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଏବଂ ଆନୁଷଙ୍ଗିକ କଞ୍ଚାମାଲ ଆମଦାନୀ କରେ। ଭାରତ ମଧ୍ୟ ବାଂଲାଦେଶରୁ ମସଲା ଏବଂ ସାମୁଦ୍ରିକ ସାମଗ୍ରୀ ଆମଦାନୀ କରିଥାଏ।