ପାରାଦୀପ ୨୨।୧୨ : ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣା । ଗିରଫ ହୋଇଥିବା ଏମ୍ଭି ଦେବୀ ଜାହାଜ ୧୧ ଜଣ ସଦସ୍ୟଙ୍କ ପାଇଁ ଆଶ୍ୱସ୍ତି । ପାରାଦୀପରେ ଗିରଫ ହୋଇଥିବା ଏହି ୧୧ କ୍ରିୟୁ ମେମ୍ବର ଭିଏତନାମ ଫେରିବା ନେଇ ବାଟ ଫିଟିଛି। କଷ୍ଟମ୍ସ ଓ ଇମିଗ୍ରେସନ ବିଭାଗର କ୍ଲିୟରାନ୍ସ ମିଳିସାରିଛି। ତେବେ ପାଗ ଖରାପ ଯୋଗୁଁ ଜାହାଜ ନିକଟକୁ ଯିବାପାଇଁ କ୍ଲିୟରାନ୍ସ ଦେଇନାହାନ୍ତି ବନ୍ଦରର ଡେପୁଟି କଞ୍ଜରଭେଟର । କଷ୍ଟମ୍ସ ବିଭାଗର ତଦନ୍ତ ପରେ ଜାହାଜର ୨୧ ଜଣ କ୍ରିୟୁ ସଦସ୍ୟ କୋକେନ ଚାଲାଣ ଘଟଣାରେ ସାମିଲ ନଥିବା ଜଣା ପଡ଼ିବା ପରେ ନିଜ ଦେଶକୁ ଫେରିବା ପାଇଁ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜାହାଜରେ ଥିବା ସମସ୍ତ ୨୧ ଜଣ ସଦସ୍ୟଙ୍କୁ ନିଜ ଦେଶ ଭିଏତନାମା ଯିବାପାଇଁ ଅଦାଲତ ଅନୁମତି ଦେଇଛନ୍ତି ।
ତେବେ୧୦ ଜଣ କ୍ରିୟୁ ସଦସ୍ୟଙ୍କ ଭିସା ଅବଧି ସରିଯାଇଥିବାରୁ ସେମାନେ ଜାହାଜରେ ରହିବେ । ୧୧ ଜଣ କ୍ରିୟୁ ସଦସ୍ୟ ନିଜ ଦେଶକୁ ଯିବେ ଏବଂ ୧୧ ଜଣ ନୂଆ କ୍ରିୟୁ ସଦସ୍ୟ ଜାହାଜରେ ଚଢିବେ। ଅନ୍ୟ ୧୦ ଜଣଙ୍କ ଭିସା ଠିକ୍ କରିବାକୁ ଉଦ୍ୟମ ଚାଲିଛି। ସେମାନଙ୍କ ଭିସା କ୍ଲିୟର ହେବା ପରେ ସେମାନେ ମଧ୍ୟ ନିଜ ଦେଶ ଭିଏତନାମକୁ ଫେରିଯିବେ । ତେବେ ଜାହାଜ ପାରାଦୀପ ବନ୍ଦରର ଆଙ୍କରେଜରେ ହିଁ ରହିବ ବୋଲି ସୂଚନା ମିଳିଛି।