ପ୍ରଥମ ଦିନରେ ଓଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, କପି ଧରିଲା କମାଣ୍ଡ କଣ୍ଟ୍ରୋଲ

Published By : Prameya-News7 Bureau | February 21, 2025 IST

କଟକ ୨୧/୦୨: ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଇଛନ୍ତି ରାଜ୍ୟର ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ । ୩ ହଜାର ୧୩୩ଟି କେନ୍ଦ୍ରରେ ଆଜି ସୁଚାରୁ ରୂପେ ପରୀକ୍ଷା ହୋଇପାରିଛି। ମାତୃଭାଷାରେ ପରୀକ୍ଷା ଦେଇସାରି କେନ୍ଦ୍ର ଭିତରୁ ବାହାରି ଆସିବା ପରେ, ମାଟ୍ରିକ ପରୀକ୍ଷାର୍ଥୀଙ୍କର ଥିଲା ଭଲ ଅନୁଭୂତି । ଯେଉଁଥିରେ ସାମିଲ ହୋଇଛନ୍ତି ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ। 

ପ୍ରାୟ ସବୁ ପରୀକ୍ଷା କେନ୍ଦ୍ର ମାନଙ୍କରେ ଆଜି ଏହିଭଳି ଢଙ୍ଗରେ ପରୀକ୍ଷାର୍ଥୀଙ୍କୁ ସ୍ୱାଗତ କରାଯାଇଛି, ଏବଂ ଏକ ସୁନ୍ଦର ପରିବେଶ ଭିତରେ ପିଲାମାନେ ପରୀକ୍ଷା ଦେଇଛନ୍ତି । ଏଥର ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ଯଥେଷ୍ଟ ଆଗରୁ ପ୍ରସ୍ତୁତି ହୋଇଥିଲା । ଏବଂ ପରୀକ୍ଷାରେ ସ୍ୱଛତା ବଜାୟ ରଖିବା ଲାଗି ଗତ ବର୍ଷ ତୁଳନାରେ ଏଥର ଆଉ କିଛି ନୂଆ ପଦକ୍ଷେପ ମାନ ନେଇଛି ବୋର୍ଡ । ଖାସ କରି ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ଉପରେ ରୋକ ଲଗାଇବା ପାଇଁ ଚଳିତ ବର୍ଷ, ଡାଇନାମିକ କ୍ୟୁ ଆର୍ କୋଡ଼ ଏବଂ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି । 


କପି ରୋକିବା ଲାଗି ୪ ସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରିଛି ବୋର୍ଡ । ପ୍ରତେକ ଜିଲ୍ଲାର ପରୀକ୍ଷା ପରିଚାଳନା ପାଇଁ ଜଣେ ଜଣେ ଅତିରିକ୍ତ ଜିଲ୍ଲାପାଳ ଏବଂ ଜଣେ Dsp ପାହ୍ୟାର ପୋଲିସ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମୋଟ ଉପରେ କହିଲେ, ଆଜି ପ୍ରଥମ ଦିନର ପରୀକ୍ଷା ପରିଚାଳନାକୁ ନେଇ ସେଭଳି କୌଣସି ବିବାଦୀୟ ଘଟଣା ସାମ୍ନାକୁ ଆସିନାହିଁ। 

ଏଥର ଗୋଟିଏ ଦିନରେ କେବଳ ଗୋଟିଏ ସିଟିଙ୍ଗ ପରୀକ୍ଷା ହେଉଛି ଏବଂ ପ୍ରତେକ ପେପର ପରୀକ୍ଷା ପାଇଁ ଗୋଟିଏ ଗୋଟିଏ ଦିନର ବ୍ୟବଧାନ ରହିଛି। ହେଲେ ଆଗକୁ ଅଛି ଇଂରାଜୀ, ଗଣିତ ଏବଂ ବିଜ୍ଞାନ ପାଇଁ ପରୀକ୍ଷା, ସେତେବେଳେ, ପ୍ରଶ୍ନପତ୍ର ଭାଇରାଲ ରୋକିବା ଏବଂ କପି ରୋକିବା କ୍ଷେତ୍ରରେ ବୋର୍ଡ କେତେ ସଫଳ ହୋଇପାରୁଛି, ତାକୁ ହିଁ ଅପେକ୍ଷା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.