ନବରଙ୍ଗପୁର: ଦଣ୍ଡ ଶୁଣି କୋର୍ଟରୁ ଚମ୍ପଟ ମାରିଲେ ଆସାମୀ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଓ ଦୌରାଜଜ ଅଦାଲତ ପରିସରରୁ। ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେବା ପରେ କୋର୍ଟ ଦଣ୍ଡ ଶୁଣାଇଥିଲେ। ହେଲେ ଦଣ୍ଡ ଶୁଣି କୋର୍ଟ ପରିସରରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ। ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁଇ ଆସାମୀ ହେଲେ ହେଲେ ହରିଆଣା ମେଓ୍ବାତ ଜିଲ୍ଲାର ସାକିଲ ଖାନ ଓ ସାହାରୁକ ଖାନ। ଜାନୁଆରୀ ମାସରେ ଦୁହିଁଙ୍କୁ ଏକ ଏଟିଏମ ଲୁଟ ଘଟଣାରେ ଗିରଫ କରିଥିଲା ପୋଲିସ। ତେବେ ସେମାନେ ଜାମିନରେ ବାହାରେ ଥିଲେ।
ସୂଚନା ଅନୁଯାୟୀ, ୨୦୨୪ ଜାନୁୟାରୀ ୩୧ ତାରିଖରେ ନବରଙ୍ଗପୁର ବ୍ଲକ ଅଫିସ କାର୍ଯ୍ୟାଳୟ ନିକଟରେ ଏକ ଏଟିଏମରୁ ଲୁଟ ହୋଇଥିଲା। ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜେଲରେ ତିନି ଅଭିଯୁକ୍ତ ରହିଥିବାବେଳେ ସାକିଲ ଓ ସାହାରୁକକୁ ବେଲ ମିଳିଥିଲା।
ତେବେ ସୋମବାର ଏହି ମାମଲାର ଶୁଣାଣି ପାଇଁ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆଉ ମାମଲାର ଶୁଣାଣି କରି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଜା ଶୁଣାଇଥିଲେ। ହେଲେ ସଜା ଶୁଣିବା ପରେ ବେଲରେ ଥିବା ଦୁଇ ଅଭିଯୁକ୍ତ ସାକିଲ ଖାନ ଓ ସାହାରୁକ ଖାନ କୋର୍ଟ ପରିସରରୁ ଚମ୍ପଟ ମାରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜାଖୋଜି କରୁଛି ।