ଭୁବନେଶ୍ଵର: ରାଜ୍ୟରେ ଆଳୁ ସଙ୍କଟ ଓ ଅହେତୁକ ଦର ବୃଦ୍ଧିକୁ ନେଇ ବଜାରରୁ ବିଧାନସଭା, ସବୁଠି ତାତି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ପଠାଇବା ଉପରେ କଟକଣା ଲଗାଇବା ପରେ ଓଡ଼ିଶାରେ ଆଳୁ କିଲୋ ଛୁଇଁଛି ୬୦ ଟଙ୍କା। ଏ ପ୍ରସଙ୍ଗ ଉଠାଇ ବିଧାନସଭାରେ ଆଜି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ଓ କଂଗ୍ରେସ ବିଧାୟକ ସରକାର ଆଳୁ ଆମଦାନୀ ନେଇ କଣ ପଦକ୍ଷେପ ନେଇଛନ୍ତି ବୋଲି ଜବାବ ମାଗିଥିଲେ। ସେପଟେ ଆଳୁ ଦର ନିୟନ୍ତ୍ରଣ ପାଇଁ ସରକାର ହାଟରେ ଚଢାଉ କରି ଦର କଷୁଥିବା ବ୍ୟବସାୟୀଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ବାହାରକୁ ଆଳୁ ଚାଲାଣ ଉପରେ ରୋକ ଲାଗିବା ପରେ ଆଜି ମଧ୍ୟ ରାତ୍ରିରୁ ସମସ୍ତ କୋଲ୍ଡଷ୍ଟୋର ମାଲିକ ନିଜ ରାଜ୍ୟକୁ ଆଳୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଖାଲି ଓଡ଼ିଶା ନୁହେଁ ବିହାର, ଝାଡ଼ଖଣ୍ଡ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗ ଆଳୁ ଯାଇପାରୁନାହିଁ, ଫଳରେ ଷ୍ଟୋର ଆଳୁ ପଚିବା ଆରମ୍ଭ କଲାଣି।
ପଶ୍ଚିମବଙ୍ଗ ସରକାର ବାହାର ରାଜ୍ୟକୁ ଆଳୁ ଚାଲାଣ ଉପରେ ରୋକ ଲଗାଇବା ପରେ ଓଡିଶାରେ ଅହେତୁକ ଦରବୃଦ୍ଧି ହୋଇଛି। ଆଜି ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ବିରୋଧୀ ଦଳ ମୁଖ୍ୟ ସଚେତକ କହିଥିଲେ ଆଳୁ କିଲୋ ୬୦ ଛୁଇଁଲାଣି, ହେଲେ ମନ୍ତ୍ରୀ କହୁଛନ୍ତି ମୁଁ ୩୦ରେ କିଣୁଛି।କଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ। ଉତ୍ତରପ୍ରଦେଶରୁ ଟ୍ରେନରେ ଆଳୁ ଆଣୁଛନ୍ତି କହିଲେ, ହେଲେ ଟ୍ରେନ ଗଲା କୁଆଡେ।ଉତ୍ତର ପ୍ରଦେଶ ଆଳୁକୁ ବେପାରୀ କି ଖାଉଟି କେହି ଚାହୁଁନାହାନ୍ତି। ଏମିତି ବି ୫୦ କିଲୋ ବସ୍ତାରୁ ୮ରୁ ୧୦ କେଜି ପଚା ବାହାରୁଛି। ତେଣୁ ବେପାରୀ ତାହା ଗ୍ରାହକ ଉପରେ କଷୁଛନ୍ତି।
Also read: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କଫୋର୍ସ ଗଠନ
ସରକାର କାହାକୁ ଚିଠି ଲେଖିଛନ୍ତି ? ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ? ସେହିପରି କଂଗ୍ରେସ କହିଛି ଆଳୁ ସହ ସବୁ ଦରଦାମ ବଢୁଛି। ଆଳୁ ଆସୁଛି ଆସୁଛି କହୁଛନ୍ତି, କିନ୍ତୁ ଚାରିମାସ ହେଲା ଆଳୁ ଆସିପାରୁନାହିଁ | ତେଣୁ ତୁରନ୍ତ ପଦକ୍ଷେପ ନିଆଯାଉ।ସେପଟେ ଗୃହ ବାହାରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାଗିଲା। ଶୀତଳ ଭଣ୍ଡାର କଲେନାହିଁ। ସେଥିପାଇଁ ସମସ୍ୟା। ଓଡ଼ିଶା ଲୋକ ସ୍ବାଭୀମାନି। ଆଳୁପାଇଁ ପଶ୍ଚିମବଙ୍ଗ ପାଖରେ ହାତ ପାତିବେନି । ସରକାର ଆଳୁ ଆଣିବାକୁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।
ଆଜି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ୧୫ରୁ ଅଧିକ ଆଳୁ ଟ୍ରକ ଆସି ଭୁବନେଶ୍ବରରେ ପହଞ୍ଚିଛି। ୟୁପିରୁ ବିଭିନ୍ନ ସ୍ଥାନକୁ ୬୦ ରୁ ୭୦ ଆଳୁ ଟ୍ରକ ଆସୁଥିବା ବେଳେ ପଶ୍ଚିମବଙ୍ଗରୁ ପାଖାପାଖି ୩୦ ଟ୍ରକ ଆସୁଥିବା କହିଛି ରାଜ୍ୟ ବ୍ୟବସାୟୀ ସଙ୍ଘ। ଆଇଗିଣିଆ ଆଳୁ ଗଦିରେ ପାଇକରୀ ରେଟ ୩୬ ଟଙ୍କା ଥିବା ବେଳେ ବାହାରେ ୪୦-୪୫-୫୦ ଟଙ୍କା ଯାଏ ଆଳୁ ବିକ୍ରି ହେଉଛି।
କଳାବଜାରୀ ରୋକିବାକୁ ଆଜି ଯୋଗାଣ ବିଭାଗ ବଜାରରେ ଚଢାଉ କରିଛି। ଗଦିରୁ ଆଳୁ ଆଣି ହାଟରେ ବିକୁଥିବା ଦୋକାନୀ ରସିଦ ଦେଖାଇପାରିନଥିବା ବେଳେ , ରେଟ ଚାର୍ଟ ଟାଙ୍ଗି ନଥିବା ଦେଖିବାକୁ ମିଳିଛି। ତେଣୁ ଏହି ଦୋକାନୀଙ୍କୁ ନୋଟିସ ଜାରି ହୋଇଛି।
ପଶ୍ଚିମବଙ୍ଗରୁ ଆଳୁ ବନ୍ଦ ପରେ, ବଙ୍ଗ ସରକାରଙ୍କୁ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଙ୍ଘ ଆଳୁ ରାଜ୍ୟରେ ନବିକିବାକୁ ଚେତାବନୀ ଦେଇଛି। ଦୀର୍ଘ ୫ ଦିନ ଧରି ବଙ୍ଗ ସରକାର ପ୍ରଶାସନ ଜରିଆରେ ପଡୋଶୀ ରାଜ୍ୟ ସୀମାରେ ଚେକ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକ ଲଗାଉଛନ୍ତି। ଫଳରେ ବିଭିନ୍ନ କୋଲ୍ଡଷ୍ଟୋର ମାଲିକ କ୍ଷତି ସହିବା ଆରମ୍ଭ କଲେଣି।
ପଶ୍ଚିମବଙ୍ଗ ତାଡ଼କେଶ୍ବରରେ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାର ଦିନକ ଭିତରେ ସୀମାରୁ କଟକଣା ହଟାନ୍ତୁ ବୋଲି କୁହାଯାଇଛି। ନହେଲେ ମଧ୍ୟ ରାତ୍ରିରୁ କୋଲ୍ଡଷ୍ଟୋର ମାଲିକ ନିଜ ରାଜ୍ୟକୁ ଆଳୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଖାଲି ଓଡିଶା ନୁହେ ବିହାର ଝାଡଖଣ୍ଡ ରାଜ୍ୟ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗ ଆଳୁ ଯାଇ ପାରୁନାହିଁ।