ଅନ୍ଧବିଶ୍ୱାସର କରୁଣ ପରିଣତି ! ଗୁଣିଗାରେଡି ସନ୍ଦେହରେ ୨ ମହିଳା ସମେତ ୩ ଜଣଙ୍କୁ ହତ୍ୟା

Published By : Prameya-News7 Bureau | July 04, 2024 IST

News7

ନୀଳଗିରି: ତିନି ଦିନ ପରେ ଜଙ୍ଗଲରୁ ମିଳିଲା ୨ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ। ଗୁଣି ଗାରେଡି ସନ୍ଦେହ କରି ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ନିକଟ ଗ୍ରାମ୍ୟ ଜଙ୍ଗଲରେ।ଘଟଣାକୁ ନେଇ ପୋଲିସର ଛାନଭିନ ପରେ ୭ଜଣଙ୍କୁ ଅଟକ ରଖାଯାଇଛି।

ସେପଟେ ଗାଁ ପୁରୁଷ ଶୂନ୍ୟ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଔପଦା ଥାନା ବଡ଼ପୋଖରୀ ଗ୍ରାମର  ଜାଲିଆ ସିଂଙ୍କ ପତ୍ନୀ ସୋମବାରି ସିଂ(୩୭), ଦାମ୍ପା ସିଂ(୪୫) ଓ ତାଙ୍କ ପତ୍ନୀ ସୁକାନ୍ତି ସିଂ(୩୮)ଙ୍କୁ ଗ୍ରାମର କିଛି ବ୍ୟକ୍ତି ଗୁଣି ଗାରେଡି କରୁଥିବା ସନ୍ଦେହ କରି ଏହି ତିନି ଜଣଙ୍କୁ ହତ୍ୟା କରିଥିବାର ସମବାରିଙ୍କ ପୁତ୍ର ନିରଞ୍ଜନ ସିଂ ଥାନାରେ ଅଭିଯୋଗ କରିଛନ୍ତି। ଏହି ତିନି ଜଣ ଗତ ୧ ତାରିଖରୁ ନିଖୋଜ ଥିଲେ।

ଖବର ପାଇ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହରଣା ଓ ତାଙ୍କ ଟିମ୍ ଖୋଜାଖୋଜି କରି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଉକ୍ତ ତିନିଜଣଙ୍କ ମୃତଦେହ ଠାବ କରିଥିବାର ଜଣାଯାଇଛି। ଜଙ୍ଗଲରେ ଅତି ନିର୍ମମ ଭାବେ ହତ୍ୟା କରିବା ସହ ମୃତଦେହ ପୋତିବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଛି। ଗତ ୧ ତାରିଖ ରେ ୧୫ରୁ ଉର୍ଦ୍ଧ୍ବ ଲୋକ ପ୍ରଥମେ ମୃତକ ତିନିଜଣଙ୍କୁ ବାଡ଼ିରେ ନିସ୍ତୁକ ପିଟିପିଟି ହତ୍ୟା କରିଛନ୍ତି।

ପରେ ସଙ୍ଗୀରେ ବୋହି ପାହାଡ଼ ଉପରକୁ ନେଇ ସେଠାରେ କଟୁରୀ ସାହାଯ୍ୟରେ ସେମାନଙ୍କର ଗଳା କାଟି ୫୦ ମିଟର ବ୍ୟବଧାନରେ ତିନିଜଣଙ୍କୁ ଫୋପାଡି ଦେଇଥିବା ଜଣାପଡିଛି। ତେବେ ସୋମବାରୀ ସିଂଙ୍କର ମୁଣ୍ଡ ଦେହରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ସୂଚନା ମିଳିଛି।

ପୋଲିସ ଥାନାରେ ୭ ଜଣଙ୍କୁ ଅଟକ ରଖିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡ଼ିକାଲକୁ ପଠାଇଛନ୍ତି। ମାରିଥିବା ପରିବାର ଲୋକଙ୍କର କାଠ ସଂଗ୍ରହ ବେଳେ ଆଘାତ ପାଇ ଏକ ଘା ନଶୁଖିବାକୁ କେନ୍ଦ୍ରକରି ଗୁଣିଗାରେଡି ସନ୍ଦେହ କରି ଏଭଳି ଘଟଣା ଘଟିଥିବା ଜଣାପଡିଛି।ଏଭଳି ଅନ୍ଧବିଶ୍ୱାସ କରି  ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.