ବସପା ନେତାଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଲା ପୋଲିସ, କହିଲା- ନୁହେଁ ରାଜନୈତିକ ହତ୍ୟାକାଣ୍ଡ

Published By : Prameya-News7 Bureau | July 06, 2024 IST

ଚେନ୍ନାଇ ୬।୭: ତାମିଲନାଡୁରେ ବହୁଜନ ସମାଜ ପାର୍ଟି (ବସପା) ସଭାପତି କେ.ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲା ଉପରୁ ଚେନ୍ନାଇ ପୋଲିସ ଶନିବାର ପର୍ଦ୍ଦା ହଟାଇଛି ଓ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ନୁହେଁ ବୋଲି ସ୍ପଷ୍ଟ କରିଛି। ପୋଲିସ କମିଶନର ସନ୍ଦୀପ ରାୟ ରାଠୋରଙ୍କ ଅନୁସାରେ ଏହି ମାମଲାରେ ଏପର୍ଯ୍ୟନ୍ତ ପୋଲିସ ୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ବସପା ନେତାଙ୍କୁ ଆଗରୁ କେବେ ବି ହତ୍ୟା ଧମକ ମିଳିନଥିଲା। ଏହି ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ବହୁତ କମ। ତେବେ ପୂର୍ବ ଶତ୍ରୁତାକୁ ଅସ୍ୱୀକାର କରାଯାଇ ନପାରେ ବୋଲି କହିଛନ୍ତି। 

ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ସନ୍ଧ୍ୟା ୭ଟା ୧୫ ମିନିଟରେ ହତ୍ୟା କରାଯାଇଥିଲା। ସେ ପେରମ୍ବୁରରେ ନିର୍ମାଣାଧୀନ ତାଙ୍କ ଘରକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଫଳରେ ତାଙ୍କ ସହ ଥିବା ୪ ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସ କମିସନରଙ୍କ ଅନୁସାରେ ତାଙ୍କ ସମର୍ଥକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ପୋଲିସ କମିଶନର କହିଛନ୍ତି ଯେ ଏହି ହତ୍ୟାକାଣ୍ଡକୁ ପୋଲିସ ଏ.ସୁରେଶର ହତ୍ୟା ସହ ଯୋଡ଼ି ଦେଖୁଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଚେନ୍ନାଇରେ ଏ. ସୁରେଶ ନାମକ ଗ୍ୟାଙ୍ଗଷ୍ଟରର ହତ୍ୟା ହୋଇଥିଲା। ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ଗିରଫ ୮ଜଣଙ୍କ ମଧ୍ୟରେ ଏ.ସୁରେଶଙ୍କ ସମ୍ପର୍କୀୟ ଅଥବା ତାଙ୍କ ଗ୍ୟାଙ୍ଗର ସଦସ୍ୟ ହିଁ ଅଛନ୍ତି। ଆର୍ମଷ୍ଟ୍ରଙ୍ଗ ମାମଲାରେ ପୋଲିସ ଏ. ସୁରେଶର ଭାଇ ପୋନ୍ନଇ ଭଲାକୁ ମଧ୍ୟ ଅଟକ ରଖିଛି। 

ଏହା ଛଡା ଏହି ହତ୍ୟା ପଛରେ ସୁନା ତସ୍କରୀ ଓ ଚିଟଫଣ୍ଡ ଠକେଇ ଥିବାର ମଧ୍ୟ ପୋଲିସ ସନ୍ଦେହ କରୁଛି। ଗ୍ରେଟର ଚେନ୍ନାଇ ପୋଲିସ କମିଶନର ସନ୍ଦୀପ ରାୟ ରାଠୋର ଆମେ ସବୁ ଆଙ୍ଗଲରୁ ମାମଲାକୁ ତଦନ୍ତ କରୁଥିବା କହିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତା ଓ ପ୍ରତିଶୋଧ ଭାବନା ନେଇ ହୋଇଥିବା ରାଠୋର ଆଶଙ୍କା କରୁଛନ୍ତି। ତେବେ ମାମଲାର ତଦନ୍ତରୁ ହତ୍ୟାକାଣ୍ଡର କାରଣ ଖୁବଶୀଘ୍ର ସ୍ପଷ୍ଚ ହୋଇଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.