ନୂଆଦିଲ୍ଲୀ ୧୬/୧୧: କାର୍ତ୍ତିକ ମାସ ଶେଷ ସହ ମାସବ୍ୟାପୀ ଶ୍ରଦ୍ଧାଳୁଙ୍କ ନିମନ୍ତେ ବଡ଼ଦେଉଳ ପ୍ରବେଶ ନିମନ୍ତେ ଲାଗିଥିବା କଟକଣା ଶେଷ ହୋଇଛି । ଶନିବାରଠାରୁ ପୁଣି ଶ୍ରୀମନ୍ଦିରକୁ ୪ ଦ୍ୱାରରେ ପ୍ରବେଶ କରିଛନ୍ତି ଶ୍ରଦ୍ଧାଳୁ । ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ । ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ କରାଯାଇଛି । ସେବାୟତ ତଥା ତାଙ୍କ ପରିବାରବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ।
ଏନେଇ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି । ନୂଆ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଜରୁରି ବୈଠକ କରାଯାଇ ଏହି ନିଷ୍ପତ୍ତି ହୋଇଛି । କାର୍ତ୍ତିକ ମାସରେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିଲା । ଅନ୍ୟପଟେ ଶ୍ରୀମନ୍ଦିର ନାଟମଣ୍ଡପରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଶୃଙ୍ଖଳା ଆଣିବା ନିମନ୍ତେ ପ୍ରାଶାସନିକ ନୂଆ ବ୍ୟବସ୍ଥା ସରକାରଙ୍କ ନିକଟରେ ବିଚାରାଧୀନ ଥିବାରୁ ଏହା ଲାଗୁ ହେବନାହିଁ ।
ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ତଥା ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିଛନ୍ତି ।
ହବିଷ୍ୟାଳିମାନେ ଏହି ଦୁର୍ଲ୍ଲଭ ବେଶ ଦେଖି କାର୍ତ୍ତିକ ବ୍ରତ ସମାପନ କରିଛନ୍ତି । ଚଳିତ ବର୍ଷ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ, ଦର୍ଶନ ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ନିମନ୍ତେ ସହଯୋଗ କରିଥିବା ସେବାୟତ, ପ୍ରଶାସନିକ କର୍ମଚାରୀ, ପୁଲିସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରେସ୍ ବାର୍ତ୍ତା ଯୋଗେ କୃତଜ୍ଞତା ଜଣାଇଛନ୍ତି ।