ଘରକୁ ଫେରିଲେ ଗଞ୍ଜାମର ୪ ଯୁବକ, କାମ କରିବାକୁ ଯାଇ ଫସିଥିଲେ ଓମାନରେ

Published By : Prameya-News7 Bureau | February 21, 2025 IST

ବ୍ରହ୍ମପୁର: କାମ ପାଇଁ ଓମାନ ଯାଇ ଫସିଥିବା ଗଞ୍ଜାମର ୪ ଯୁବକ ଘରକୁ ଫେରିଛନ୍ତି। ଅଧିକ ଟଙ୍କା ଅର୍ଜନ ଆଶାରେ ଏମାନେ ଓମାନ ଯାଇଥିଲେ, ହେଲେ ସେଠାରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟଙ୍କା ତ’ ଦୂରର କଥା, ଖାଦ୍ୟ ଖାଇବାକୁ ମଧ୍ୟ ସେଠାରେ ତାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏମିତିରେ ସେଠାରୁ ଉଦ୍ଧାର ପାଇଁ ଏକ ଭିଡିଓ ମାଧ୍ୟମରେ ଅନୁରୋଧ କରିଥିଲେ ଏହି ଯୁବକମାନେ। ଶେଷରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗେ ଏହି ଚାରି ଯୁବକ ଘରକୁ ଫେରିଛନ୍ତି।

ଏହି ଚାରି ଯୁବକ ହେଉଛନ୍ତି ଗଞ୍ଜାମ ବ୍ଲକ୍ ତାରିଣୀପଲ୍ଲୀ ଗ୍ରାମର ବସନ୍ତ କୁମାର ସେଠୀ, ସାନଖେମୁଣ୍ଡି ବ୍ଲକ୍ ପଥରପୁଞ୍ଜି ଗ୍ରାମର ସାଗର ସ୍ୱାଇଁ, ଯୁଗଳ ପ୍ରଧାନ ଏବଂ ପୋଲସରା ବ୍ଲକ୍‌ ହାତୀପଦାପଲ୍ଲୀ ଗାଁର ବସନ୍ତ କୁମାର ପରିଡ଼ା।  

ସୂଚନା ଅନୁଯାୟୀ, ୫ ମାସ ତଳେ ବିଶାଖାପାଟଣାର ଏକ ଏଜେନସି ଦ୍ୱାରା ସମସ୍ତେ ଓମାନ ଯାଇଥିଲେ । ଏଜେନ୍ସୀ ପ୍ରତି ଯୁବକଙ୍କୁ ବାବଦକୁ ୮୦ ହଜାର ଟଙ୍କା ଲେଖାଏଁ ମଧ୍ୟ ନେଇଥିଲା। ଆଉ ଓମାନ ଗଲେ ମାସକୁ ୪୫ ହଜାରରୁ ୫୦ ହଜାର ଟଙ୍କା ଦରମା ମିଳିବା ଆଶା ଦେଇଥିଲା । ହେଲେ ସେଠାକୁ ଯାଇ ଦୁଇ ମାସ କାମ କରିବା ପରେ ଗୋଟିଏ ମାସର ଦରମା ମିଳିଥିଲା । ପରବର୍ତ୍ତୀ ସମୟରେ ଆଉ ଦରମା ଦେଲେ ନାହିଁ। ଟଙ୍କା ମାଗିବାରୁ ସେମାନଙ୍କୁ କାମରୁ ବାହାର କରିଦେବା ନେଇ ଧମକ ଦେବା ସହ, କମ୍ପାନି ପାସ୍‌ପୋର୍ଟ ଛଡ଼ାଇ ନେଇଥିଲା ବୋଲି ଅଭିଯୋଗ କରିଥିଲେ ଯୁବକମାନେ। 

ଖାଲି ସେତିକି ନୁହେଁ ଟଙ୍କା ନଥିବାରୁ ଭୋକ ଉପବାସରେ ମଧ୍ୟ ଦିନ କାଟିବାକୁ ପଡ଼ିଥିଲା। ଶେଷରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ, ବସନ୍ତଙ୍କ ମାଆ ଇନ୍ଦିରା ସେଠୀ ଜିଲ୍ଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଥିଲେ | 

ସେପଟେ ଘଟଣା ନଜରକୁ ଆସିବା ପରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରି ପତ୍ର ଲେଖିଥିଲେ। ଛତ୍ରପୁର ବିଧାୟକ ମଧ୍ୟ ଘଟଣାରେ ହସ୍ତକ୍ଷେପ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ଆଉ ସବୁ ପ୍ରଚେଷ୍ଟା ପରେ ୪ ଯୁବକଙ୍କୁ ଓମାନରୁ ନିଜ ଅଞ୍ଚଳକୁ ଫେରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.