ଋଷଭ ପନ୍ତଙ୍କଠୁ ୮ ଗୁଣ କମ ମୂଲ୍ୟ, ହେଲେ ପ୍ରଦର୍ଶନ ୧୪ ଗୁଣ ଅଧିକ; ୫ ଇନିଂସରୁ ହାସଲ କଲେଣି ୪ ଅର୍ଦ୍ଧଶତକ

Published By : Prameya-News7 Bureau | April 08, 2025 IST

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍)ରେ ମଙ୍ଗଳବାର କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳା ଯାଉଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ବ୍ୟାଟର କୋଲକାତା ବୋଲରଙ୍କୁ ପ୍ରବଳ ପ୍ରହାର କରିଛନ୍ତି। ବିଶେଷ କରି ମିଚେଲ୍ ମାର୍ଶ ବିସ୍ଫୋରକ ବ୍ୟାଟିଂ କରି ୪୮ ବଲରୁ ୮୧ ରନର ଇନିଂସ ଖେଳିିଛନ୍ତି। ତେବେ ପ୍ରଥମ ଥର ମିଚେଲ୍ ମାର୍ଶଙ୍କ ବ୍ୟାଟ୍‌ରୁ ଏମିତି ରନ ବାହାରିନି। ଚଳିତ ସିଜିନରେ ମିଚେଲ୍ ମାର୍ଶ ଯେଉଁ ଶୈଳୀରେ ବ୍ୟାଟିଂ କରୁଛନ୍ତି ତାହା ଏଲଏସଜିର ବ୍ୟାଟିଂକୁ ଆହୁରି ମଜବୁତ କରିଛି। ମାର୍ଶ ୫ଟି ଇନିଂସରେ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ବ୍ୟାଟ୍‌ରୁ ଏ ପର୍ଯ୍ୟନ୍ତ ୨୬୫ ରନ ବାହାରି ସାରିଛି।

ଏହି ସିଜିନରେ ସବୁଠୁ ମହଙ୍ଗା ଖେଳାଳି ଋଷଭ ପନ୍ତ। ଲକ୍ଷ୍ନୌ ୨୭ କୋଟି ଟଙ୍କାରେ ପନ୍ତଙ୍କୁ ନିଜ ଦଳରେ ସାମିଲ୍ କରିଛି। ଅନ୍ୟପଟେ ମାର୍ଶଙ୍କ ପାଇଁ ଫ୍ରାଞ୍ଚାଇଜ ୩.୪ କୋଟି ଖର୍ଚ୍ଚ କରିଛି। ଯଦି ଦୁଇ ଖେଳାଳିଙ୍କ ଦାମ ତୂଳନା କରାଯାଏ ତେବେ ମାର୍ଶଙ୍କ ତୁଳନାରେ ପନ୍ତ ୮ ଗୁଣ ମହଙ୍ଗା ରହିଛନ୍ତି। କିନ୍ତୁ ପନ୍ତଙ୍କ ତୁଳନାରେ ମାର୍ଶ ୧୪ ଗୁଣ ଦମଦାର ପ୍ରଦର୍ଶନ କରିଛନ୍ତି। ମାର୍ଶ ଗତ ୫ଟି ଇନିଂସରେ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅନ୍ୟପଟେ ପନ୍ତ ୪ଟି ଇନିଂସରେ ମାତ୍ର ୧୯ ରନ କରିଛନ୍ତି ଏବଂ ଲଗାତାର ଫ୍ଲପ୍ ହୋଇ ଚାଲିଛନ୍ତି। 




ଲକ୍ଷ୍ନୌ-କୋଲକାତା ମ୍ୟାଚ୍‌ରେ ମାର୍ଶ ଆଉଟ୍ ହେବା ପରେ ଲକ୍ଷ୍ନୌ ଭଲ ସ୍ଥିତିରେ ଥିଲା। ଆଶା  କରାଯାଉଥିଲା ପନ୍ତ ବ୍ୟାଟିଂ କରିବାକୁ ଆସିବେ ଏବଂ ଅବଶିଷ୍ଟ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରିବେ। ମାତ୍ର ପନ୍ତ ସମଦଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲେ। ଗତ ଅନେକ ମ୍ୟାଚ୍‌ରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ପନ୍ତ ବିଳମ୍ବରେ ବ୍ୟାଟିଂ  କରିବାକୁ ଆସୁଛନ୍ତି ଏବଂ ଶସ୍ତାରେ ନିଜର ଓ୍ଵିକେଟ୍ ଫିଙ୍ଗି ଯାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.