ମୁମ୍ବାଇଇ: ଗୋଟିଏ ପଟେ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(BCCI) ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ଡର-ଗାଭାସ୍କର ଟ୍ରଫିରେ ଦଳର ୧-୩ ପରାଜୟ ଓ ସିରିଜ୍ ସମୟରେ ଡ୍ରେସିଂ ରୁମର କଥା ଲିକ୍ ହେବା ନେଇ ବିସିସିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ବୋର୍ଡ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଦଳର ସହାୟକ କୋଚ୍ ଅଭିଷେକ ନାୟରଙ୍କୁ ବାହାର କରିଛି। ୮ ମାସ ପୂର୍ବରୁ ଦଳରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହୋଇଥିଲା। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବିସିସିଆଇ ସମୀକ୍ଷା ବୈଠକ କରିଥିଲା। ଏଥିରେ ଦଳ ପ୍ରବନ୍ଧନର ଜଣେ ସଦସ୍ୟ ଡ୍ରେସିଂ ରୁମର କଥା ଲିକ୍ ହେଉଥିବା ଅଭିଯୋଗ କରିଥିଲେ।
Also read: Neeraj Chopra: ଦକ୍ଷିଣ ଆଫ୍ରିକାରେ ଚମକିଲେ ଭାରତର ସୁନା ପୁଅ, ୮୪.୫୨ମି. ଥ୍ରୋ ସହ ଜବରଦସ୍ତ କମ୍ବ୍ୟାକ୍
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସହାୟକ କୋଚ୍ ଅଭିଷେକ ନାୟରଙ୍କ ବ୍ୟତୀତ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଟି ଦିଲୀପ ଓ ଟ୍ରେନର ସୋହମ ଦେଶାଇଙ୍କୁ ମଧ୍ୟ ଦଳରୁ ଛୁଟି କରାଯାଇଛି। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ନାୟରଙ୍କ ସ୍ଥାନରେ ଆଉ ନିଯୁକ୍ତି ଦିଆଯିବ ନାହିଁ। କାରଣ ବ୍ୟାଟିଂ କୋଚ୍ ଭାବେ ସିତାଂଶୁ କୋଟାକ ଭାରତୀୟ ଦଳ ସହ ପ୍ରଥମରୁ ଅଛନ୍ତି। ଫିଲ୍ଡିଂ କୋଚ୍ ଟି ଦିଲୀପଙ୍କ କାର୍ଯ୍ୟ ସହାୟକ କୋଚ୍ ରେୟାନ ଟେନ୍ ଡେସ୍କାଟେ ପରିଚାଳନା କରିବେ।
ଟ୍ରେନର ସୋହମ ଦେଶାଇଙ୍କ ସ୍ଥାନରେ ଏଡ୍ରିୟନ ଲି ରୁଙ୍କୁ ନିଯୁକ୍ତ କରିବ ବିସିସିଆଇ। ଏଡ୍ରିୟନ ବର୍ତ୍ତମାନ ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ଦଳରେ ଅଛନ୍ତି। ସେ ୨୦୦୮ରୁ ୨୦୧୯ ପର୍ଯ୍ୟନ୍ତ କୋଲକାତା ନାଇଟ୍ ରାଇଡର୍ସ ଦଳ ସହ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ଭାରତୀୟ ଦଳରେ ରହିଥିଲେ ଏଡ୍ରିୟନ। ସୂଚନାଯୋଗ୍ୟ, ବିସିସିଆଇ ଯେଉଁ ତିନି ସଦସ୍ୟଙ୍କୁ ଦଳରୁ ବିଦା କରିଛି ସେମାନେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନିକତଟର ଥିଲେ।
କାହିଁକି ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ
ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖରାପ ପ୍ରଦର୍ଶନ ଓ ଡ୍ରେସିଂ ରୁମର ଗୋଟିଏ ପରେ ଗୋଟିଏ ଖବର ଲିକ୍ ହେବା ମାମଲାରେ ସପୋର୍ଟ ଷ୍ଟାଫଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ପ୍ରଦର୍ଶନ ବହୁତ ନିରାଶଜନକ ଥିଲା। ଉକ୍ତ ସିରିଜରେ ଦଳ ୧-୩ରେ ପରାଜିତ ହୋଇଥିଲା। ଦଳ ଭଲ ପ୍ରଦର୍ଶନ କରିବା ଏବଂ ଖରାପ ପ୍ରଦର୍ଶନ କରିବା ଖେଳର ଏକ ଅଂଶ। ମାତ୍ର ଡ୍ରେସିଂ ରୁମରୁ ଯେଉଁଭଳି ଭାବେ କଥା ଲିକ୍ ହେଲା ତାହା ବିସିସିଆଇକୁ ବ୍ୟଥିତ କରିଥିଲା। ଦଳ ପ୍ରବନ୍ଧକଙ୍କ ଏମିତି କାର୍ଯ୍ୟକଳାପରେ ବୋର୍ଡ କ୍ଷୁବ୍ଧ ଥିଲା।