ଭୁବନେଶ୍ବର ୧୭।୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଗସ୍ତରେ ଆସି ଓଡ଼ିଶାକୁ ୪ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ ଭେଟି ଦେଇଛନ୍ତି । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗଡ଼କରୀ ରାଜ୍ୟ ପାଇଁ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ ।
ଓଡ଼ିଶାରେ ଯୋଗାଯୋଗର ନୂଆ ଯୁଗ । ୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ୮ ଶହ କୋଟି ଟଙ୍କା ବୟରେ ୪୧କିମି ଦୈର୍ଘ୍ୟ ତାଳଚେର ଠାରୁ କାମାକ୍ଷାନଗର ୪ଲେନ୍ ରାଜପଥ ଓ ୪୫କୋଟି ଟଙ୍କା ବ୍ୟୟରେ ବାଲିକୁଦା, ଶିଖରପୁର ଏବଂ ବଡ଼ଚଣା ଠାରେ ଭେହିକୁଲର ଅଣ୍ଡରପାସ୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ । ଏଥିସହ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ଓ ୪ଟି CRIF ବ୍ରିଜର ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ଗୁଡ଼ିକ ହେଲା, ବଅଁରପାଳ-ଗୋଡ଼ିବନ୍ଧ ୪ଲେନ୍ ରାଜପଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅନ୍ତର୍ଗତ ବାଙ୍ଗିରିପୋଷି ଘାଟି ୪ଲେନ୍ ରାଜପଥ, NH ୧୬ରେ ୫ଟି ଭେହିକୁଲର ଅଣ୍ଡରପାସ୍ ଏବଂ ଗୋଟିଏ ଫ୍ଲାଏ ଓଭର, ନିର୍ଗୁଣ୍ଡି ଠାରେ ଭେହିକୁଲର ଅଣ୍ଡରପାସ ଏବଂ ଛତିଆଠାରେ ଫ୍ଲାଏ ଓଭର, ସିଂଘରା-ବିଞ୍ଜିବାହଲ ଖଣ୍ଡର ହାତୀଗତି ପଥରେ ୪ଲେନ୍ ଭାୟାଡକ୍ଟ ନିର୍ମାଣ, ପଳାଶୁଣି ଠାରେ ଗଙ୍ଗୁଆ ନାଳ ଉପରେ ଅତିରିକ୍ତ ୨ଲେନ୍ ସେତୁ, ଟିଟିଲାଗଡ଼ ଟାଉନ୍ ବାଏପାସ୍, ଧର୍ମଗଡ଼ ଟାଉନ୍ ବାଏପାସ, କଳାହାଣ୍ଡି ଜିଲ୍ଲାରେ ରେତ୍ ନଦୀ ଓ ସଗଡ଼ା ନଦୀ ଉପରେ ସେତୁ ନିର୍ମାଣ, ମଙ୍ଗଳପୁର-କୟାଁଗୋଲା ଆରଡ଼ି ଖଣ୍ଡର ପ୍ରଶସ୍ତି କରଣ, ଦାରିଙ୍ଗବାଡ଼ି ଘାଟୀ ପ୍ରଶସ୍ତି କରଣ, ପୂଜାରୀପାଲି ଘାଟି-ଜରିମୂଳିରେ ମହାନଦୀ ଉପରେ ସେତୁ ନିର୍ମାଣ, କଳାହାଣ୍ଡି ତେଲ ନଦୀ ଓ ହାତୀ ନଦୀ ଉପରେ ସେତୁ ନିର୍ମାଣ ଆଦି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ହାଇଓ୍ବେ ଆମେରିକା ଭଳି ହେବ । ରାଜ୍ୟର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଆବଶ୍ୟକ । ଓଡ଼ିଶାରେ ୨ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି । ଆଗକୁ ୩ଲକ୍ଷ କୋଟିର ପ୍ରକଳ୍ପ କାମ ସରିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।
ସେହିଭଳି ସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସାମ୍ନାରେ ପୁରୀକୁ ୮ଲେନ୍ ରାସ୍ତା ନିର୍ମାଣ ଓ କୋଷ୍ଟାଲ ହାଇଓ୍ବେ ନିର୍ମାଣ ପାଇଁ ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେହିଭଳି ଏକ ଭିଡିଓ ବାର୍ତ୍ତାରେ ଓଡ଼ିଶାରେ ୪ ହଜାର କୋଟିର ରାଜପଥ ପ୍ରକଳ୍ପ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ସଡ଼କ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଇଛି । ଏହାଦ୍ବାରା ଓଡ଼ିଶାରେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
You Can Read: