ଜେଲରେ କେଜରିୱାଲଙ୍କ ଓଜନ ହ୍ରାସକୁ ନେଇ AAPର ଉଦବେଗ, AIIMS କହିଲେ- ଡାୟେଟରେ ଖାଆନ୍ତୁ ପରଟା ଓ ପୁରୀ

Published By : Prameya-News7 Bureau | June 23, 2024 IST

ନୂଆଦିଲ୍ଲୀ ୨୩।୬: ଦିଲ୍ଲୀ ତିହାର ଜେଲରେ ବନ୍ଦୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ୱାସ୍ଥ୍ୟକୁ ନେଇ ଆମ ଆଦମୀ ପାର୍ଟି (ଆପ୍) ପୁଣି ଥରେ ଉଦବେଗ ପ୍ରକାଶ କରିଛି। ଆପ କହିଛି ଯେ ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଓଜନ ୨୧ ମାର୍ଚ୍ଚରେ ଗିରଫ ପରଠାରୁ ୮ କେଜି କମିଛି। ଏହାଛଡା ଏମ୍ସର ଏକ ମେଡିକାଲ ବୋର୍ଡ ତାଙ୍କ ଡାୟେଟରେ ପରଟା ଓ ପୁରୀ ସାମିଲ କରିବାକୁ ସୁପାରିଶ କରିଛି। 

ଆପ କହିଛି ଯେ ଜେଲରେ କେଜରିୱାଲଙ୍କ ଓଜନ ହ୍ରାସ ଲଗାତାର ଜାରି ରହିଛି। ଏଥି ପାଇଁ ତାଙ୍କ ଓଜନ ୮କେଜି ହ୍ରାସ ହୋଇଛି। ତାଙ୍କର ଓଜନ ଏପରି ହ୍ରାସ ହେବା ବାସ୍ତବିକ ଚିନ୍ତାଜନକ। ମାର୍ଚ୍ଚ ୨୧ ତାରିଖରେ ତାଙ୍କ ଗିରଫ ବେଳେ ଓଜନ ୭୦ କେଜି ଥିଲା, ଯାହା ଜୁନ ୨ ତାରିଖ ବେଳକୁ ହ୍ରାସ ହୋଇ ୬୩.୫ କେଜିକୁ ପହଞ୍ଚିଥିଲା। ଏଥିରେ ୨୨ ଜୁନ ଶନିବାର ତାଙ୍କ ଓଜନ ହ୍ରାସ ହୋଇ ୬୨ କେଜି ହୋଇଯାଇଛି। 

ଆପର କହିବା କଥା ହେଉଛି କେଜରିୱାଲ ଜେଲକୁ ଯିବା ପରଠାରୁ ଏମସ୍‌ ତାଙ୍କର ରକ୍ତ ସମ୍ପର୍କିତ କିଛି ପରୀକ୍ଷା କରିଛନ୍ତି। ହୃଦୟ ଓ କର୍କଟ ସମ୍ପର୍କିତ କୌଣସି ପରୀକ୍ଷଣ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଓଜନ ଲଗାତାର ହ୍ରାସ ହେବା ମ୍ୟାକ୍ସର ଡାଇରେକ୍ଟରମାନେ ଗୁରୁତର ମନେ କରିଥିଲେ, ଏଣୁ ତାଙ୍କୁ କେତେକ ଟେଷ୍ଟ କରାଇବାକୁ କହିଥିଲେ। ଏଥି ପାଇଁ କେଜରିୱାଲ ତାଙ୍କ ଜାମିନ ଅବଧିକୁ ଆଉ ୭ ଦିନ ବଢାଇବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର ନ କରିବାରୁ ସେ ଜୁନ ୨ ତାରିଖ ଦିନ ତିହାର ଜେଲରେ ଆତ୍ମସମର୍ପଣ କରିଦେଇଥିଲେ। 

କଥିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ କେଜରିୱାଲଙ୍କ ନିୟମିତ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି। ତାଙ୍କୁ ନିମ୍ନ ଅଦାଲତ ନିୟମିତ ଜାମିନ ମଞ୍ଜୁର କରିଥିଲେ। ଯାହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। କୁହାଯାଉଛି କେଜରିୱାଲଙ୍କ ଜାମିନ ନେଇ କୋର୍ଟ ଆଗାମୀ ସପ୍ତାହରେ ତାଙ୍କର ନିଷ୍ପତ୍ତି ଶୁଣାଇ ପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.