ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ଖେଳାଳିଙ୍କ ସଦ୍ୟତମ ମାନ୍ୟତା ଜାରି କରିଛି। ଇଂଲଣ୍ଡର ସ୍ପିନର ଆଦିଲ ରଶିଦ ପୁଣି ଥରେ ଟି-୨୦ ବୋଲିଂ ରାଙ୍କିଙ୍ଗରେ ଶୀର୍ଷକୁ ଉଠିଛନ୍ତି। ସେ ଓ୍ଵେଷ୍ଟଇଣ୍ଡିଜର ସ୍ପିନର ଅକିଲ ହୁସେନଙ୍କୁ ପଛରେ ପକାଇ ନମ୍ବର ଓ୍ଵାନ ସ୍ଥାନ ଦଖଲ କରିଛନ୍ତି। ହୁସେନ ଦ୍ଵିତୀୟ ସ୍ଥାନକୁ ଖସି ଆସିଛନ୍ତି। ଆଦିଲଙ୍କ ରେଟିଂ ପଏଣ୍ଟ ୭୧୮ ଥିବା ବେଳେ ଅକିଲଙ୍କ ହେଉ ଛି ୭୦୭। ଭାରତର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ବଡ଼ ଲମ୍ଫ ମାରିଛନ୍ତି। ସେ ୨୫ଟି ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୭୯ରେ ରହିଛି।
ବରୁଣ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଘାତକ ବୋଲିଂ କରୁଛନ୍ତି। ସେ ୩ଟି ମ୍ୟାଚ୍ରେ ସର୍ବାଧିକ ୧୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର(୬୬୬) ୧୩ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।ଟପ୍-୧୦ରେ ଭାରତର ତିନି ବୋଲର ରହିଛନ୍ତି। ଦ୍ରୁତ ବୋଲର ଅର୍ଶଦୀପ ସିଂ(୬୬୪) ଯୁଗ୍ମ ଭାବେ ଅଷ୍ଟମ ଓ ସ୍ପିନର ରବି ବିଷ୍ଣୋଇ(୬୫୯) ଦଶମ ସ୍ଥାନରେ ରହିଛନ୍ତି। ସ୍ପିନର ଅକ୍ଷର ପଟେଲ୍(୬୪୫) ୫ଟି ସ୍ଥାନ ଉନ୍ନତି ଘଟାଇ ୧୧ତମ ସ୍ଥାନରେ ପହଞ୍ଚିଛନ୍ତି।
Also read: ରଣଜୀ ଟ୍ରଫିରୁ ରୋହିତ, ଜୟସ୍ୱାଲ, ଆୟର ବାଦ୍: ଅନ୍ତିମ ମୁକାବିଲାରେ ମେଘାଳୟକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ
ବ୍ୟାଟର ମାନ୍ୟତାରେ ଅଷ୍ଟ୍ରେଲିଆର ଟ୍ରେଭିସ ହେଡ(୮୫୫) ଶୀର୍ଷରେ ଥିଲେ ହେଁ ତାଙ୍କୁ ଭାରତର ଯୁବ ବ୍ୟାଟର ଚ୍ୟାଲେଞ୍ଜ ଦେଇଛନ୍ତି। ତିଳକ ବର୍ମା(୮୩୨) ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି। ତିଳକ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଦ୍ଵିତୀୟକୁ ଉଠିଛନ୍ତି। ସେ ତିନୋଟି ମ୍ୟାଚ୍ରୁ ୧୦୯ ରନ କରି ସାରିଛନ୍ତି। ଯୁବ ବ୍ୟାଟର ଅଭିଷେକ ଶର୍ମା ମଧ୍ୟ ବଡ଼ ଲମ୍ପ ମାରିଛନ୍ତି। ସେ ୫୯ଟି ସ୍ଥାନ ଉପରକୁ ଉଠି ୪୦ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ସିରିଜ୍ରେ ୧୧୫ ରନ କରି ସାରିଲେଣି।
ଇଂଲଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନ ୫ଟି ସ୍ଥାନ ଉନ୍ନତି ଘଟାଇ ୩୨ତମ ଓ ବେନ ଡକେଟ୍ ୨୮ଟି ସ୍ଥାନ ଉପରକୁ ଉଠି ୬୮ତମ ସ୍ଥାନରେ ପହଞ୍ଚିଛନ୍ତି। ସୂର୍ଯ୍ୟକୁମାର ଯାଦବ ନିଜର ଚତୁର୍ଥ ସ୍ଥାନ ବଜାୟ ରଖିଥିଲେ ହେଁ ୨୫ ରେଟିଂ ପଏଣ୍ଟ ହରାଇଛନ୍ତି। ସାମସନ ୧୭ତମ ସ୍ଥାନରୁ ଖସି ୨୯ତମ ସ୍ଥାନରେ ପହଞ୍ଚିଛନ୍ତି। ସଞ୍ଜୁ ଓ ସୂର୍ଯ୍ୟଙ୍କୁ ମାନ୍ୟତାରେ ଅବନ୍ନତି ଘଟିଛି।