ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବଡ଼ ବିପର୍ଯ୍ୟୟ, ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଲା ଆଫଗାନିସ୍ତାନ

Published By : Prameya-News7 Bureau | September 18, 2024 IST

abp live

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ। ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ପରାଜୟର ଧାରା ଭାଙ୍ଗିଛି। ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧଳା ବଲ୍ କ୍ରିକେଟ୍‌ରେ ପ୍ରଥମ ଥର ବିଜୟ ହାସଲ କରିଛି। ଏ ପର୍ଯ୍ୟନ୍ତ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଟି-୨୦ ଅନ୍ତର୍ଜାତୀୟ ଓ ଦିନିକିଆ ମ୍ୟାଚ୍ ଖେଳା ଯାଇଛି। ସବୁ ଥର ଦକ୍ଷିଣ ଆଫ୍ରିକା ବାଜି ମାରି ଆସିଥିଲା। କିନ୍ତୁ ଏବେ ଏହି ଧାରା ଭାଙ୍ଗିଛି ଆଫଗାନିସ୍ତାନ।

ସାରଜାରେ ଦୁଇ ଦଳ ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ ପ୍ରଥମ ମ୍ୟାଚ୍ ଖେଳା ଯାଇଛି। ପ୍ରଥମେ ଆଫଗାନିସ୍ତାନ ବିପକ୍ଷ ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ଅଲଆଉଟ୍ କରିବା ପରେ ୨୬ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ହାସଲ କରି ଇତିହାସ ରଚିଛି। ଫଜଲହକ ଫାରୁକି ଓ ଆଲ୍ଲା ଗଜନଫର ଘାତକ ବୋଲିଂ କରିଛନ୍ତି। ବ୍ୟାଟିଂରେ ଗୁଲବଦୀନ ନାଏବ ୩୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। 

ଆଡନ ମାରକ୍ରମଙ୍କ ନେତୃତ୍ଵାଧୀନ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦ. ଆଫ୍ରିକା ଆଫଗାନିସ୍ତାନ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ପାରି ନ ଥିଲା। ଦଳ ୩୩.୩ ଓଭରରେ ୧୦୬ ରନରେ ଅଲଆଉଟ୍ ହୋଇଥିଲା। ଓ୍ଵିୟାନ ମୁଲଡର ଏକ ମାତ୍ର ବ୍ୟାଟର ଭାବେ ୫୨ ରନର ଇନିଂସ ଖେଳି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ। ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଜବାବରେ ଆଫଗାନିସ୍ତାନ ୨୬ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଗୁଲବଦିନ ନାଏବ ୨୭ ବଲରୁ ଦ୍ରୁତ ୩୪ ରନ ଏବଂ ଅଜମତୁଲ୍ଲା ଉମରଜାଇ ୨୫ ରନର ଅପରାଜିତ ଇନିଂସ ଖେଳିଛନ୍ତି। 

ବୋଲିଂରେ ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକି ୭ ଓଭରରେ ୩୫ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଆଲ୍ଲା ଗଜନପର ୧୦ ଓଭରରେ ୨୦ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି।ରଶିଦ ଖାନ ୮.୩ ଓଭରରେ ୩୦ ରନ ଦେଇ ୨ ଓ୍ଵିକେଟ୍ ଦାଖଲ କରିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.