ସାଲେପୁର: ଦୀର୍ଘ ୨୦ ବର୍ଷପରେ ଜନ୍ମଦାତ୍ରୀ ମାଆକୁ ଫେରି ପାଇଲା ପୁଅ। ମାଆକୁ ପାଇ ବହୁତ ଆତ୍ମବିଭୋର ହୋଇଗଲା ପୁଅ। ପିଲାଦିନୁ ମାଆ କୁଆଡେ ପଳାଇଥିଲା, ଆଉ ଏବେ ମାଆକୁ ପାଇ ଖୁସିରେ ଲୁହ ଝରାଉଛି ପୁଅ। ବାଲେଶ୍ଵର ଜିଲ୍ଲାର ମୁକ୍ତଗଞ୍ଜ ଟାଉନ ଥାନା ଅଧିନ ରସାଳପୁର ଗ୍ରାମର ମନୋରମା ବେହେରା। କୌଣସି କାରଣ ପାଇଁ ଘର ଛାଡ଼ି ପଳାଇଥିଲେ।
ସେତେବେଳକୁ ପିଲା ଛୋଟ ଛୋଟ ଥିଲେ। ଏବେ ପିଲା ବଡ଼ ହୋଇଯାଇଛନ୍ତି। ପୁଅ ଓ ଝିଅର ବାହାଘର ହୋଇଯାଇଛି। ବାପା ରଘୁନାଥ ବେହେରାଙ୍କ ଆରପାରିକୁ ଚାଲିଯାଇଛନ୍ତି। ହେଲେ ମାଆ ସ୍ନେହରୁ ବଞ୍ଚିତ ପିଲାମାନେ ମାଆକୁ ଚାରିଆଡେ ଖୋଜୁଥିଲେ ବି ନିରାଶ ହେଉଥିଲେ। ମନୋରମା ସାଲେପୁର ବ୍ଲକ ଅନ୍ତର୍ଗତ କିଶନନଗର ଥାନା ଅଧିନ ତାରିତୋ ପଞ୍ଚାୟତରେ ବୁଲାବୁଲି କରୁଥିଲେ। ସ୍ଥାନୀୟ ବାସିନ୍ଦା ତଥା ଡ୍ରାଇଭର ମହାସଙ୍ଘର ସଦସ୍ୟ ପ୍ରକାଶ କୁମାର ଦ୍ୱିବେଦୀ ମନୋରମାଙ୍କୁ ଘରକୁ ଆଣିଥିଲେ।
ତାଙ୍କର ଖାଇବା ପିଇବା ଓ ସେବା କରିବା ସହ ମନୋରମାଙ୍କ ଘର ଠିକଣା ଜାଣିବାକୁ ପାଇଥିଲେ। ଡ୍ରାଇଭର ମହାସଂଘର ସହାୟତା କ୍ରମେ ମନୋରମା ପୁଅଙ୍କ ସହ ଯୋଗାଯୋଗ ହୋଇପାରିଥିଲା। ସୂଚନା ପାଇ ସାଲେପୁର ବ୍ଲକ୍ ତରିତୋ ପଞ୍ଚାୟତର ପ୍ରକାଶ ଦ୍ବିବେଦୀଙ୍କ ଘରେ ପହଞ୍ଚିଥିଲେ ମନୋରମାଙ୍କ ପୁଅ। ମାଆ ପୁଅର ୨୦ ବର୍ଷ ପରେ ମିଳନ ଘଟିଥିଲା। ମାଆକୁ ପାଇ ବହୁତ ଆତ୍ମବିଭୋର ହୋଇଯାଇଥିଲେ ପୁଅ।