ଶିୟା ସମ୍ପ୍ରଦାୟର ଆଧ୍ୟାତ୍ମିକ ନେତା ଆଗା ଖାନ ଚତୁର୍ଥଙ୍କ ପରଲୋକ, ଛାଡ଼ି ଯାଇଛନ୍ତି ୧୧ ବିଲିୟନ ପାଉଣ୍ଡର ସମ୍ପତ୍ତି

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ: ମୁସଲମାନ ସମୁଦାୟରେ ଆସୁଥିବା ଇସ୍ମାଇଲୀ ସମ୍ପ୍ରଦାୟର ବିଲେନିୟନର ଆଧ୍ୟାତ୍ମିକ ନେତା ଆଗା ଖାନ ଚତୁର୍ଥଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । ପର୍ତ୍ତୁଗାଲର ଲିସ୍‌ବନରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ହାର୍ବାର୍ଡରୁ ସ୍ନାତକ କରିଥିବା ଆଗା ଖାନ ୨୦ ବର୍ଷ ବୟସରେ ହିଁ ଇସ୍ମାଇଲୀ ସମ୍ପ୍ରଦାୟର ଲକ୍ଷ ଲକ୍ଷ ମୁସଲମାନଙ୍କ ଆଧ୍ୟାତ୍ମିକ ନେତା ହୋଇଥିଲେ । ଆଗା ଖାନଙ୍କୁ ପୈଗମ୍ୱର ମହମ୍ମଦଙ୍କ ସିଧା ବଂଶଜ ବୋଲି ଧରାଯାଏ । ଆଗା ଖାନ୍ ଫାଉଣ୍ଡେସନ୍ ଏବଂ ଇସ୍ମାଇଲୀ ଧାର୍ମିକ ସମୁଦାୟ ଘୋଷଣା ଅନୁସାରେ ଆଗା ଖାନ୍ ଚତୁର୍ଥଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ତାଙ୍କର ୱିଲ୍‌ରେ ଲେଖାଯାଇଛି । ଏହାକୁ ପରିବାର ଲୋକ ଏବଂ ଧାର୍ମିକ ନେତାଙ୍କ ଉପସ୍ଥିତି ଘୋଷଣା କରାଯିବ ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ଚାରିଟି ଦ୍ୱାରା ଜାବି ବୟାନ ଅନୁସାରେ, ବିଲେନିୟର ଏବଂ ଆଧ୍ୟାତ୍ମିକ ନେତା ଆଗା ଖାନ ଚତୁର୍ଥଙ୍କ ୮୮ ବର୍ଷ ବୟସରେ ପର୍ତ୍ତୁଗାଲରେ ନିଧନ ହୋଇଛି । ସର୍ବାଜନୀନ ମଞ୍ଚରୁ ଦୂରରେ ରହିବା ସତ୍ତ୍ୱେ ଆଗା ଖାନ ଇସଲାମ୍‌ର ଇସ୍ମାଇଲୀ ସମ୍ପ୍ରଦାୟର ପ୍ରାୟ ୧.୨ କୋଟି ଅନୁସରଣକାରୀଙ୍କ ଆଧ୍ୟାତ୍ମିକ ନେତା ଥିଲେ । 

ଇସ୍ମାଇଲୀ ସମୁଦାୟର ୱେବସାଇଟ୍ ଅନୁସାରେ ଆଗା ଖାନ ଚତୁର୍ଥଙ୍କ ଜନ୍ମ ୧୯୩୬ ଡିସେମ୍ୱର ୧୩ରେ ସ୍ୱିଜରଲାଣ୍ଡର କ୍ରେକ୍ସ-ଡି-ଗେନ୍ଥୋଡରେ ହୋଇଥିଲା । ଜୋଆନ ୟାର୍ଡେ-ବୁଲର ଏବଂ ଏଲି ଖାନଙ୍କ ପୁଅ ଥିଲେ । ତାଙ୍କର ପିଲା ଦିନ କେନିଆ ଏବଂ ନାରୋବିରେ ବିତିଥିଲା । ସେ ସ୍କିୟର ଭାବେ ୧୯୬୪ ଶୀତକାଳୀନ ଅଲିମ୍ପିକରେ ଇରାନର ପ୍ରତିନିଧିତ୍ୱ କରିଥିଲେ । ଆଗା ଖାନ ଦୀର୍ଘ ବର୍ଷ ଯାଏ ଫ୍ରାନ୍ସରେ ରହିଥିଲେ ଏବଂ ଗତ କିଛି ବର୍ଷ ଧରି ପର୍ତ୍ତୁଗାଲରେ ରହିଥିଲେ । ତାଙ୍କର ଫାଉଣ୍ଡେସନ ସ୍ୱିଜର୍‌ଲାଣ୍ଡରେ ରହିଛି ।

ଆଗା ଖାନ ଚତୁର୍ଥଙ୍କୁ ୧୯୫୭ରେ ମାତ୍ର ୨୦ ବର୍ଷ ବୟସରେ ଇସ୍ମାଇଲୀ ସମ୍ପ୍ରଦାୟର ୪୯ତମ ଇମାମ ଉପାଧି ମିଳିଥିଲା । ଅନୁମାନ କରାଯାଉଛି ଯେ ମୃତ୍ୟୁ ବେଳକୁ ତାଙ୍କର ମୋଟ ସମ୍ପତ୍ତି ୧୧ ବିଲିୟନ ପାଉଣ୍ଡରୁ ଅଧିକ ଥିଲା । ତାଙ୍କ ପାଖରେ ନିଜସ୍ୱ ଜେଟ୍, ୨୦୦ ମିଲିୟନ ଡଲାରର ସୁପର୍-ୟାଚ୍ ଏବଂ ବହାମାସରେ ଏକ ଦ୍ୱୀପ ମଧ୍ୟ ରହିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.