ପୁଣି ଟ୍ରେନ ଦୁର୍ଘଟଣାର ଷଡ଼ଯନ୍ତ୍ର, ଟ୍ରାକରେ ମାଟି ରଖି ଲାଇନଚ୍ୟୁତ ଉଦ୍ୟମ

Published By : Prameya-News7 Bureau | October 07, 2024 IST

ଉତ୍ତରପ୍ରଦେଶ ୭/୧୦: ପୁଣି ଥରେ ଟ୍ରେନ ଦୁର୍ଘଟଣାର ଷଡଯନ୍ତ୍ର । ଟ୍ରାକରେ ପଡିଥିଲା ଗଦା ଗଦା ମାଟି । ମାଟି ଏତେ ପରିମାଣର ଥିଲା ଯେ ଟ୍ରାକର ଚିହ୍ନବର୍ଣ୍ଣ ନଥିଲା । ରବିବାର ରାତିରେ ଉତ୍ତରପ୍ରଦେଶ ରାୟବରେଲିରୁ ଆସିଛି ପୁଣି ଟ୍ରେନ ଦୁର୍ଘଟଣା ଷଡଯନ୍ତ୍ରର ଖବର । ରାୟବରେଲି ଜିଲ୍ଲାର ରଘୁରାଜ ସିଂ ରେଲୱେ ଷ୍ଟେସନ ନିକଟ ଟ୍ରାକରେ ମାଟି ଗଦା ହୋଇଥିଲା । ସେହି ସମୟରେ ଟ୍ରାକରେ ଯାଉଥିବା ଟ୍ରେନର ଲୋକ ପାଇଲଟ ହଠାତ ଏମରଜେନ୍ସି ବ୍ରେକ ମାରିଥିଲେ । ଫଳରେ ଟ୍ରେନଟି ଅଟକି ଯାଇଥିଲା । 

ଘଟଣାସ୍ଥଳରେ ତୁରନ୍ତ ରେଲୱେ ଅଧିକାରୀ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକରୁ ମାଟି ସଫା ହେବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ କହିବା କଥା, ନିକଟରେ ରାସ୍ତା ନିର୍ମାଣ କାମ ଚାଲିଛି । ସେଥିପାଇଁ ଗାଡିରେ ମାଟି ବୁହା ଯାଉଛି । ରବିବାର ସଂଧ୍ୟାରେ ଏକ ଡମ୍ପର ମାଟି ବୋଝେଇ କରି ଟ୍ରାକରେ ପକାଇ ଦେଇଥିଲା । ଆଉ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି । 

ଗତ କିଛି ଦିନ ଧରି ଲଗାତାର ଟ୍ରାକରେ ବିଭିନ୍ନ ଜିନିଷ ପକାଇ ଦୁର୍ଘଟଣା କରିବାକୁ ଚେଷ୍ଟା କରୁଥିବା ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଟ୍ରାକରୁ ଲୁହା ପ୍ଲେଟ ତ ଆଉ କେତେବେଳେ ଗ୍ୟାସ ସିଲିଣ୍ଡର,ବଡ ବଡ ସିମେଣ୍ଟ ଖଣ୍ଡ ଜବତ ହୋଇଛି । ତେବେ ଏସବୁ ପଛରେ କିଏ ଓ କାହିଁକି ଏପରି ଷଡଯନ୍ତ୍ର କରୁଛି ତାର ଟେର୍‌ ପାଉନି ପୋଲିସ । 

 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.