AAP ସାଂସଦଙ୍କ ସଞ୍ଜୀବ ଅରୋରାଙ୍କ ଇଡି ରେଡ୍, ଭଡକିଲେ ପାର୍ଟି ନେତା

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ ୦୭/୧୦: ଇଡି ରାଡାରରେ ଆମ୍‌ ଆଦମୀ ପାର୍ଟି ନେତା । ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ପଶିଛି ଇଡି। ଠକେଇ ମାମଲାରେ ସକାଳୁ ଜଲନ୍ଧର ସ୍ଥିତ ତାଙ୍କ ଘରେ ଚଢ଼ାଉ କରିଛି ଇଡି । 

ସୂଚନା ଥାଉକି, AAPର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଠକେଇ ମାଧ୍ୟମରେ ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି। ସଞ୍ଜୀବ ଆରୋରାଙ୍କର ନିଜର ବ୍ୟବସାୟ ଅଛି। ଜାଲିଆତି କରି ସେ ଜମି ବଣ୍ଟନ କରିଥିଲେ। ଏହି ମାମଲାରେ ଇଡି ଏହି ଚଢ଼ାଉ କରିଛି। ସଞ୍ଜୀବ ଆରୋରାଙ୍କ ବ୍ୟତୀତ ଜଣାଶୁଣା ବ୍ୟବସାୟୀ ହେମନ୍ତ ସୁଦଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି।

ସେପଟେ ଚଢ଼ାଉ ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆ ମୋଦି ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, 'ମୋଦିଜୀ ପୁଣି ଥରେ ଆଜି ନିଜର ତୋତା-ମୈନାଙ୍କୁ ଖୋଲା ଛାଡ଼ି ଦେଇଛନ୍ତି। ସକାଳୁ ଆପ୍‌ ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ରେଡ୍‌ ଚାଲିଛି। 


ଗତ ଦୁଇ ବର୍ଷ ମଧ୍ୟରେ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଚଢ଼ାଉ କରିଥିଲେ, ମୋ ଘରେ ରେଡ୍‌ କରିଥିଲେ, ସଞ୍ଜୟ ସିଂହଙ୍କ ଘରେ ଚଢ଼ାଉ କରିଥିଲେ, ସତ୍ୟେନ୍ଦ୍ର ଜୈନଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲେ। କେଉଁଠୁ ବି କୌଣସି ଜିନିଷ ମିଳିନଥିଲା। କିନ୍ତୁ ଗୋଟିଏ ପରେ ଗୋଟିଏ ନକଲି ମାମଲା ସୃଷ୍ଟି କରିବାରେ ସେମାନେ ସମ୍ପୂର୍ଣ୍ଣ ଭାବେ ଲାଗି ପଡିଛନ୍ତି।'

ସେ ଆହୁରି କହିଛନ୍ତି, 'ଆମ୍‌ ଆଦମୀ ପାର୍ଟିକୁ ଭାଙ୍ଗିବା ପାଇଁ ଏମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ବି ଏମାନେ ଆମ ଆଦମୀ ପାର୍ଟିର ଲୋକଙ୍କୁ ଅଟକାଇ ପାରିବେ ନାହିଁ। ଆମେ ବିକ୍ରି ହେବୁ ନାହିଁ କି, ଡରିବୁ ନାହିଁ।'



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.