ଦିଲ୍ଲୀ-ଏନସିଆର ବାୟୁ ପ୍ରଦୂଷଣକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ; ଜୋରିମନା କାହିଁକି ଏତେ କମ୍ ବୋଲି କଲେ ପ୍ରଶ୍ନ

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏନସିଆର୍ ବାୟୁ ପ୍ରଦୂଷଣକୁ ନେଇ ବିଗିଡିଲେ ସୁପ୍ରିମକୋର୍ଟ । ବୁଧବାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ପଞ୍ଜାବ ଏବଂ ହରିୟାଣା ସରକାରଙ୍କ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଦୂଷଣ ମାମଲାରେ କମ୍ ଜୋରିମନା କାହିଁକି ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏଭଳି ସ୍ପଳ୍ପ ଫାଇନ୍ ଲୋକଙ୍କୁ ପ୍ରୋତ୍ସାହିତ କରୁଛି । ଲୋକେ ପ୍ରଦୂଷଣ କରି ତିଳେ ମାତ୍ର ଡରୁନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ । ସେପଟେ ଜମିରେ ନଡ଼ା ଜଳାଇବାକୁ ନେଇ CAQM ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଦୂଷଣ ରୋକିବାରେ ବିଫଳ ହେଉଥିବା ଅଧିକାରୀଙ୍କ ବିରୋଧ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ? ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ଅଦାଲତ ।

ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ଏହା ସହିତ ପରିବେଶ ସଂରକ୍ଷଣ ଅଧିନିୟମ ଆଧାରରେ ନୂଆ ନିୟମ ଆଣିବା ସହତ ଏଥିରେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି କୋର୍ଟ । ବାୟୁ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ, ନାଗରିକଙ୍କ ମୌଳିକ ଅଧିକାରକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛି ବୋଲି ଅଦାଲତ କହିଛନ୍ତି । 

ନିୟମ ଉଲ୍ଲଙ୍ଘନ କରି ନଡ଼ା ଜଳାଇବା ମାମଲାକୁ ନେଇ ପଞ୍ଜାବ ଏବଂ ହରିୟାଣା ସରକାରଙ୍କ ଉପରେ ବିଗିଡ଼ିଛନ୍ତି କୋର୍ଟ । ପଞ୍ଜାବରେ ୧୦୯୮ଟି ନଡ଼ା ପୋଡ଼ା ମାମଲା ରୁଜୁ ହୋଇଥିବାବେଳେ କେବଳ ୪୮୩ କେସ୍‌ରେ କ୍ଷତିପୂରଣ ମିଳିଛି । ସେହିପରି ହରିୟାଣାରେ ୪୯୮ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୯୩ଜଣଙ୍କ ନାଁରେ FIR ରୁଜୁ ହୋଇଛି । କୋର୍ଟ କହିଛନ୍ତି ଦୁଇ ରାଜ୍ୟରେ କଡ଼ା ନିୟମ ପାଳନ ନହେଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.