ମହାରାଷ୍ଟ୍ର ନିର୍ବାଚନ: ମହାବିକାଶ ଅଘାଡ଼ି ମଧ୍ୟରେ ଆସନ ବୁଝାମଣା, ୮୫-୮୫-୮୫ ଫର୍ମୁଲାରେ ରାଜି

Published By : Prameya-News7 Bureau | October 23, 2024 IST

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାସେରୁ କମ ସମୟ ରହିଛି । ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ବି ଆରମ୍ଭ ହୋଇଛି । ଏହାରି ଭିତରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ମହାବିକାଶ ଅଘାଡ଼ିରେ ଆସନ ବୁଝାମଣା ହୋଇଛି । କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି (ଶରଦ ପାୱାର) ୮୫ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ବୋଲି ରାଜି ହୋଇଛନ୍ତି । ଏମଭିଏର ତିନି ବଡ଼ ସହଯୋଗୀ ମୋଟ ୨୫୫ ଆସନରୁ ୮୫ଟି ଲେଖାଏଁରେ ଲଢିବେ ବୋଲି ସହମତ ହୋଇଛି । ତେବେ ୨୮୮ ଆସନ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବଳକା ସିଟ୍‌ ଏମଭିଏ ଅନ୍ୟ ଛୋଟ ସହଯୋଗୀ ଦଳଙ୍କ ଲାଗି ଛଡ଼ାଯିବ ବୋଲି ଜଣାପଡ଼ିଛି । ଏମଭିଏରେ ଆସନ ବୁଝାମଣା ଶେଷ ହୋଇଥିବା ନେଇ ଶିବସେନା (ୟୁବିଟି) ନେତା ସଂଜୟ ରାଉତ କହିଛନ୍ତି । 

ସଂଜୟ ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆସନ ବୁଝାମଣା ନେଇ ଆମର ଶେଷ ବୈଠକ ଶରଦ ପାଓ୍ବାରଙ୍କ ସାମ୍ନାରେ ହୋଇଛି । ଆମେ ପିଡବ୍ଲୁପି, ସିପିଏମ, ସିପିଆଇ ଏବଂ ଆମ ଆଦମୀ ପାର୍ଟି କେତେକ ଆସନ ଦେବୁ ।’ ସେପଟେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି, 'ଗୁରୁବାର ବାକି ଆସନର ଚିତ୍ର ସ୍ପଷ୍ଟ ହୋଇଯିବ । ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଆମକୁ ହିଁ ବହୁମତ ମିଳିବ ।'

କଂଗ୍ରେସ, ଶରଦ ପାଓ୍ବାର ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବଳକା ଆସନ ପାଇଁ ଆଲୋଚନା ହେବ । ଏଥିରୁ କାହାକୁ କେତେ ଆସନ ମିଳିବ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ଏବଂ ଅନ୍ୟ ଦଳ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଏଥର ମହାରାଷ୍ଟ୍ର ନିର୍ବାଚନରେ କେବଳ ଏମଭିଏ ନୁହେଁ ବରଂ ଇଣ୍ଡି ମେଣ୍ଟର ପ୍ରାର୍ଥୀମାନେ ମୈଦାନରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.