ଜଙ୍ଗଲ ଜଳୁଛି, ଜୀବନ ଯାଉଛି: ବାନାଗ୍ନି ପ୍ରଦୂଷଣରେ ବର୍ଷକୁ ମରୁଛନ୍ତି ୧୫ ଲକ୍ଷରୁ ଅଧିକ ଲୋକ

Published By : Prameya-News7 Bureau | December 01, 2024 IST

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯେ କେତେ ଭୟଙ୍କର ହୋଇପାରେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଳଙ୍ଗଲ ନିଆଁ କାରଣରୁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁ ବର୍ଷକୁ ୧.୫୩ ମିଲିଅନ ଲୋକଙ୍କର ମୃତ୍ୟୁ ହେଉଛି ବୋଲି ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ପ୍ରକାଶ କରୁଥିବା ପତ୍ରିକା ଲାନସେଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି। 

ଲୋକଙ୍କ ଦ୍ୱାରା ହେଉ ବା ପ୍ରାକୃତିକ ଉପାୟରେ, କିମ୍ବା ବଣବୁଦାରେ ଲାଗିଥିବା ନିଆଁକୁ ଏହି ଗବେଷଣାରେ ସାମିଲ କରାଯାଇଥିଲା। ଯେଉଁଥିରେ ଏଭଳି ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି। ଜଙ୍ଗଲି ନିଆଁ ଯେ କେତେ ଭୟଙ୍କର ହୋଇପାରେ ରିପୋର୍ଟ ବିଷୟରେ ଜାଣିବା ପରେ ଯେଉଁମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ସେମାନେ ବୋଧେ ଆଉ ଏ ଭୁଲ୍ କରିବେନି। 

ଅଧ୍ୟୟନ ଅନୁଯାୟୀ, ଏହି ମୃତ୍ୟୁର ୯୦% ରୁ ଅଧିକ ମୃତ୍ୟୁ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ଘଟିଛି। ମୁଖ୍ୟତ ସାହାରା ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଏସିଆ ଏବଂ ପୂର୍ବ ଏସିଆରେ ମୃତ୍ୟୁ ହୋଇଛି। ଭାରତ, ଚୀନ୍, କଙ୍ଗୋ, ଇଣ୍ଡୋନେସିଆ ଏବଂ ନାଇଜେରିଆ ସର୍ବାଧିକ ମୃତ୍ୟୁ ହୋଇଥିବା ଦେଶ ଭାବରେ ଚିହ୍ନଟ କରାଯାଇଛି।

ଜଙ୍ଗଲି ନିଆଁ ପାଇଁ ସାରା ବିଶ୍ୱରେ ଲୋକଙ୍କ ମୃତ୍ୟୁ ହେଉଛି। ଜନସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ଏହା ସତ୍ତ୍ୱେ ବି ଲୋକେ ଜଙ୍ଗଲ ନିଆଁଦ୍ୱାରା ହେଉଥିବା ପ୍ରଦୂଷଣର ଭୟାବହତା ସମ୍ପର୍କରେ ଭଲ ଭାବରେ ଅବଗତ ନୁହଁନ୍ତି ବୋଲି ଲାନସେଟ୍‌ରେ କୁହାଯାଇଛି। 

ଲୋକଙ୍କ ଭିତରେ ଏହି ସଚେତନତାର ଅଭାବକୁ ମାପିବା ପାଇଁ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଡାଟା ବ୍ୟବହାର କରି ଏକ ବିସ୍ତୃତ ଅଧ୍ୟୟନ କରାଯାଇଥିଲା। ଏଥିରେ ଦେଶ ନିର୍ଦ୍ଦିଷ୍ଟ ଦୈନିକ ଏବଂ ବାର୍ଷିକ ସ୍ତରର ବନାଗ୍ନି ଓ ସୂକ୍ଷ୍ମ କଣିକା ପଦାର୍ଥ (PM2.5) ଏବଂ ଭୂପୃଷ୍ଠ ଓଜୋନ୍ (O3) ସ୍ତରରେ ଉପରେ ଗବେଷଣା କରାଯାଇଥିଲା। ଗବେଷକମାନେ ମୃତ୍ୟୁହାର ଉପରେ ଏହି ପ୍ରଦୂଷକର ସ୍ୱଳ୍ପ ମିଆଦି ଏବଂ ଦୀର୍ଘକାଳୀନ ପ୍ରଭାବର ବିପଦ ଆକଳନ କରିଥିଲେ। ଅଧ୍ୟୟନରେ ହୃଦ୍‌ରୋଗ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଏଥିରେ ସାମିଲ୍ କରାଯାଇଥିଲା। 

ଏତେସବୁ ଡାଟାକୁ ନେଇ ଗବେଷଣା କରିବା ପରେ ଜଣାପଡ଼ିଥିଲା ଯେ ବନାଗ୍ନୀ ଯୋଗୁ ହେଉଥିବା ପ୍ରଦୂଷଣର ମୋଟ ମୃତ୍ୟୁ ମଧ୍ୟରୁ ଅତି କମରେ ୪,୫୦,୦୦୦ ଲୋକଙ୍କର ହୃଦ୍‌ରୋଗ କାରଣରୁ ମୃତ୍ୟୁ ହେଉଛି। ସେହିପରି ୨,୨୦,୦୦୦ ଲୋକଙ୍କର ମୃତ୍ୟୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁ ହେଉଛି। ଜଙ୍ଗଲି ନିଆଁର ପ୍ରଦୂଷଣରେ ହୃଦ୍‌ରୋଗ ଜନିତ ମୃତ୍ୟୁ ବାର୍ଷିକ ୧.୬୭ ପ୍ରତିଶତ ହାରରେ ବୃଦ୍ଧି ପାଇଛି। 

ଜଙ୍ଗଲ ନିଆଁରେ ଉତ୍ପନ ହେଉଥିବା PM2.5 ଏବଂ O3 ର ଯୋଗୁ ଯଥାକ୍ରମେ ୭୭.୬ ପ୍ରତିଶତ ଏବଂ ୨୨.୪ ପ୍ରତିଶତ ଲୋକଙ୍କ ମୃତ୍ୟୁର କାରଣ ହେଉଛି ବୋଲି ଗବେଷଣାରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.