ନୂଆଦିଲ୍ଲୀ ୧୩।୧୦: ଏହି ଦୀପାବଳିରେ ଯଦି ଆପଣ ବିମାନ ଯୋଗେ ଘରକୁ ଫେରିବାକୁ ଯୋଜନା କରୁଥାନ୍ତି, ତେବେ ଏହା ଆପଣଙ୍କ ଲାଗି ଭଲ ଖବର। ଦେଶରେ ଦୀପାବଳି ପୂର୍ବରୁ ବିମାନ ଭଡ଼ା ହ୍ରାସ ହୋଇଛି। ଖାସ କରି ଯେଉଁମାନେ ପ୍ରାୟତଃ ବିମାନ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ରୂପେ ଏକ ଭଲ ଖବର। ଦୀପାବଳି ପୂର୍ବରୁ ଘରୋଇ ଉଡାଣରେ ଭଡ଼ା ଗତବର୍ଷ ଅପେକ୍ଷା ଚଳିତବର୍ଷ ୨୦ରୁ ୨୫ ପ୍ରତିଶତ କମ ହୋଇଛି। ଏ କଥା ବିମାନ ଭଡା ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି।
ବର୍ଦ୍ଧିତ ଉଡାଣ ସଂଖ୍ୟା ଓ ନିକଟରେ ତୈଳ ମୂଲ୍ୟରେ ହୋଇଥିବା ହ୍ରାସ ଯୋଗୁ ବିମାନ ଭଡ଼ା କମିଛି। ଟିକେଟ୍ ବୁକିଂ ଆପ୍ଲିକେସନ ଇକ୍ସିଗୋର ବିଶ୍ଲେଷଣରୁ ଜଣାପଡିଛି ଯେ ଘରୋଇ ଉଡାଣରେ ହାରାହାରି ଭଡ଼ା ୨୦-୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଭଡ଼ାର ଏହି ହାର ୩୦ ଦିନ ମଧ୍ୟରେ ଆଡଭାନ୍ସ ବୁକିଂ ତାରିଖ ଆଧାରରେ ଗୋଟିଏ ପାଖିଆ ହାରାହାରି ଭଡ଼ା ପାଇଁ। ବିଶ୍ଲେଷଣରେ ୨୦୨୩ ଲାଗି ସମୟ ଅବଧି ୧୦ରୁ ୧୬ ନଭେମ୍ବର ଥିବା ବେଳେ ଚଳିତବର୍ଷ ପାଇଁ ଏହା ୨୮ ଅକ୍ଟୋବରରୁ ୩ ନଭେମ୍ବର ମଧ୍ୟରେ ରହିଛି।
ଚଳିତବର୍ଷ ବେଙ୍ଗାଲୁର-କୋଲକାତା ଉଡାଣ ଲାଗି ହାରାହାରି ବିମାନ ଯାତ୍ରା ଭଡ଼ା୩୮ ପ୍ରତିଶତ ହ୍ରାସ ହୋଇ ୬,୩୧୯ ଟଙ୍କା ହୋଇଯାଇଛି, ଯାହା ଗତବର୍ଷ ୧୦,୧୯୫ ଟଙ୍କା ଥିଲା। ସେହିପରି ଚେନ୍ନାଇ-କୋଲକାତା ରୁଟରେ ଟିକେଟ ମୂଲ୍ୟ ୮,୭୨୫ ଟଙ୍କାରୁ ୩୬ ପ୍ରତିଶତ ହ୍ରାସ ହୋଇ ୫,୬୦୪ ଟଙ୍କା ହୋଇଯାଇଛି। ମୁମ୍ବାଇ-ଦିଲ୍ଲୀ ଉଡାଣ ଲାଗି ହାରାହାରି ବିମାନ ଭଡ଼ା ୮,୭୮୮ ଟଙ୍କାରୁ ୩୪ ପ୍ରତିଶତ ହ୍ରାସ ହୋଇ ୫,୭୬୨ ଟଙ୍କା ହୋଇଛି। ଦିଲ୍ଲୀ-ଉଦୟପୁର ରୁଟରେ ଟିକେଟ ମୂଲ୍ୟରେ ୩୪ ପ୍ରତିଶତ ହ୍ରାସ ହୋଇଛି। ଫଳରେ ବିମାନ ଟିକେଟ ଦର ୧୧,୨୯୬ ଟଙ୍କାରୁ ହ୍ରାସ ହୋଇ ୭,୪୬୯ ଟଙ୍କା ହୋଇଛି।
ଦିଲ୍ଲୀ-କୋଲକାତା, ହାଇଦ୍ରାବାଦ-ଦିଲ୍ଲୀ ଓ ଦିଲ୍ଲୀ-ଶ୍ରୀନଗର ରୁଟରେ ଏହି ଭଡ଼ା ହ୍ରାସ ୩୨ ପ୍ରତିଶତ ରହିଛି। ଇକ୍ସିଗୋ ସମୂହର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଆଲୋକ ବାଜପେୟୀ କହିଛନ୍ତି ଯେ ଗତବର୍ଷ ଦୀପାବଳି ବେଳେ ସୀମିତ କ୍ଷମତା କାରଣରୁ ବିମାନ ଭଡ଼ା ବୃଦ୍ଧି ପାଇଥିଲା। ଯାହାର ମୁଖ୍ୟକାରଣ ଗୋ ଫାଷ୍ଟ ଏୟାର ଲାଇନ୍ସର ନିଲମ୍ବନ ଥିଲା। ସେ କହିଛନ୍ତି ଯେ ଚଳିତବର୍ଷ ଅତିରିକ୍ତ କ୍ଷମତା ଯୋଡା ଯାଇଛି। ଏଣୁ ଅକ୍ଟୋବର ଶେଷ ସପ୍ତାହରେ ପ୍ରମୁଖ ରୁଟରେ ହାରାହାରି ବିମାନ ଭଡ଼ାରେ ବାର୍ଷିକ ଆଧାରରେ ୨୦ରୁ ୨୫ ପ୍ରତିଶତ କମ୍ ହୋଇଛି।