ହୁରୁନ ଇଣ୍ଡିଆ ସୂଚୀରେ ମୁକେଶ ଅମ୍ବାନୀଙ୍କ ପୁଅଝିଅ, ଜାଣନ୍ତୁ ଅଛନ୍ତି କେତେତମ ସ୍ଥାନରେ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ ୨୬।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଓ ପୁଅ ଆକାଶ ଅମ୍ବାନୀ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ହୁରୁନ ଇଣ୍ଡିଆ ୨୦୨୪ ବର୍ଷ ନିମନ୍ତେ ୩୫ ବର୍ଷରୁ କମ ବୟଷ୍କଙ୍କ ପ୍ରଥମ ତାଲିକାରେ  ଆକାଶ ଅମ୍ବାନୀ ଓ ଈଶା ଅମ୍ବାନୀଙ୍କୁ ସାମିଲ କରାଯାଇଛି। ରିଲାଏନ୍ସ ରିଟେଲର ବ୍ୟବସାୟ ସମ୍ଭାଳୁଥିବା ଈଶା ଅମ୍ବାନୀ ଓ ଟଡଲର ପରିତା ପାରେଖ ୨୦୨୪ ହୁରୁନ ଇଣ୍ଡିଆ ଅଣ୍ଡର ୩୫ ପ୍ରାରମ୍ଭିକ ସୂଚୀରେ ସବୁଠୁ କମ ବୟଷ୍କ ମହିଳା ଭାବେ ସ୍ଥାନ ପାଇଛନ୍ତି। 

ଏହି ତାଲିକାରେ ୭ ଜଣ ମହିଳା ବ୍ୟବସାୟୀଙ୍କୁ ସ୍ଥାନ ମିଳିଛି। ଯେଉଁଥିରେ ଟ୍ରେୟା ହେଲଥର ସଲୋନୀ ଆନନ୍ଦ ଓ ମାମା ଆର୍ଥର ଗଜଲ ଅଲଘ ମଧ୍ୟ ସ୍ଥାନ ପାଇଛନ୍ତି। ରିପୋର୍ଟ ଅନୁସାରେ ହୁରୁନ ଇଣ୍ଡିଆ ୨୦୨୪ ଅଣ୍ଡର ୩୫ରେ ୩୫ ବର୍ଷରୁ କମ ବୟଷ୍କ ୧୫୦ ଜଣଙ୍କୁ ସାମିଲ କରାଯାଇଛି। ସେୟାର ଚାଟର ୩୧ ବର୍ଷ ବୟଷ୍କ ଅଙ୍କୁଶ ସଚଦେବା ୨୦୨୪ ହୁରୁନ ଇଣ୍ଡିଆ ଅଣ୍ଡର ୩୫ରେ ସାମିଲ ହୋଇଥିବା ସବୁଠୁ କମ ବୟଷ୍କ ବ୍ୟକ୍ତି। 

ଏହି ଲିଷ୍ଟରେ ଆକାଶ ଅମ୍ବାନୀ ୩୨ତମ ସ୍ଥାନରେ ଥିବା ବେଳେ ଈଶା ଅମ୍ବାନୀ ୩୧ତମ ସ୍ଥାନରେ ଅଛନ୍ତି। ରିପୋର୍ଟ ଅନୁସାରେ ୮୨ ପ୍ରତିଶତ ଲୋକେ ପ୍ରଥମ ପିଢୀର ବିଜନେସ୍ ମ୍ୟାନ। ଏହି ଲିଷ୍ଟରେ ଅନ୍ୟ ମହିଳାଙ୍କ ମଧ୍ୟରେ ନେରୀ ପଟେଲ, ଅନିଶା ତିୱାରୀ ଓ ଅଞ୍ଜଲୀ ମର୍ଚାଣ୍ଟ ମଧ୍ୟ ଅଛନ୍ତି। ଏହି ଲିଷ୍ଟରେ ସବୁଠୁ ଅଧିକ ବେଙ୍ଗାଲୁରୁ ସହ ସମ୍ପର୍କିତ ବ୍ୟବସାୟୀ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ମୁମ୍ବାଇ ରହିଛି। ଏହି ଲିଷ୍ଟରେ ଆଡଟେକ୍ କମ୍ପାନୀ ମାଲିକ ଅଲଖ ପାଣ୍ଡେ, କେଶବ ରେଡ୍ଡୀ, ପ୍ରଣବ ଅଗ୍ରୱାଲ ଓ ସିଦ୍ଧାର୍ଥ ବିଜଙ୍କ ନାମ ମଧ୍ୟ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.