‘ଖୋ ଗୟେ ହମ୍‌ କହାଁ-୨’ରେ ଅଲାୟା, ଅନନ୍ୟା-ସିଦ୍ଧାନ୍ତଙ୍କ ସହ କରିବେ ଧମାଲ

Published By : Prameya-News7 Bureau | October 10, 2024 IST

ମୁମ୍ଵାଇ ୧୦।୧୦: ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ ‘ଖୋ ଗୟେ ହମ୍‌ କହାଁ’କୁ ଦର୍ଶକୀୟ ଆଦୃତି ମିଳିଥିଲା । ଏବେ ଅର୍ଜୁନ ବରେନ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସିକ୍ୱେଲ ହେବ । ଏହାର ଷ୍ଟାର୍‌ କାଷ୍ଟ୍‌ରେ ଯୋଗ ଦେବେ ଅଭିନେତ୍ରୀ ଅଲାୟା ଏଫ୍‌ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫିଲ୍ମରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ମୂଳ ଫିଲ୍ମରେ ଅନନ୍ୟା, ସିଦ୍ଧାନ୍ତଙ୍କ ସହ ଆଦର୍ଶ ଗୌରବ ନଜର ଆସିଥିଲେ । ସିକ୍ୱେଲରେ ମଧ୍ୟ ଏ ତିନିଜଣଙ୍କୁ ପୁଣି ଥରେ ଦେଖିବାକୁ ମିଳିବ । ତେବେ ନିର୍ମାତା ଖୁବ୍‌ଶୀଘ୍ର ଏ ନେଇ ଔପଚାରିକ ଘୋଷଣା କରିବେ । ‘ଖୋ ଗୟେ ହମ୍‌ କହାଁ’ ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ଓଟିଟିରେ ମୁକ୍ତିଲାଭ କରିଥିଲା । ମୁମ୍ବାଇରେ ତିନିଜଣ ସାଙ୍ଗ ନିଜ ନିଜ ଜୀବନରେ କେମିତି ଛନ୍ଦି ହୋଇଥିଲେ, ଫିଲ୍ମରେ ଦେଖିବାକୁ ମିଳିଥିଲା । ଅର୍ଜୁନ ବରେନ ସିଂହ, ଜୋୟା ଅଖତର, ରୀମା କଗ୍‌ତି ଓ ୟଶ ସହାୟ ଏହାର କାହାଣୀ ଲେଖିଥିଲେ । ଇମାଦ ଅଲି ଭୂମିକାରେ ନଜର ଆସିଥିଲେ ସିଦ୍ଧାନ୍ତ ଚତୁର୍ବେଦୀ । 

ଆହାନା ସିଂହ ଭୂମିକା ନିର୍ବାହ କରିଥିଲେ ଅନନ୍ୟା । କଲକି କୋଚିନ୍‌ ମଧ୍ୟ ନଜର ଆସିଥିଲେ । ମଲାଇକା ଅରୋରା ଓ ଫରହାନ ଅଖତରଙ୍କ ଝଲକ୍‌ ବି ଦେଖିବାକୁ ମିଳିଥିଲା । ଫିଲ୍ମର ସିକ୍ୱେଲ ପ୍ରସ୍ତୁତ ହେଉଥିବାବେଳେ ଅଲାୟାଙ୍କୁ ନେଇ ଦର୍ଶକଙ୍କର ଖୁବ୍‌ ଆଶା ରହିଛି । ଏହା ପୂର୍ବରୁ ଅଲାୟା ‘ଶ୍ରୀକାନ୍ତ’, ଆକ୍ସନ୍‌ ଏଣ୍ଟର୍‌ଟେନର୍‌ ‘ବଡ଼େ ମିଆଁ ଛୋଟେ ମିଆଁ’ରେ ନଜର ଆସିଥିଲେ । କାର୍ତ୍ତିକ ଆର‌୍ୟନ ଷ୍ଟାରର୍‌ ‘ଫ୍ରେଡି’ରେ ତାଙ୍କ ଭୂମିକାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.